ଭୁବନେଶ୍ୱରରେ ନିଆଁ ବର୍ଷା: ସାଢେ ୮ଟା ସୁଦ୍ଧା ୩୩.୪ ଡିଗ୍ରୀ
ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ କେତେକ ଜିଲ୍ଲାରେ ନିଆଁ ବର୍ଷା ହେଉଛି
ଆର୍ଦ୍ରତା ୯୦ ପ୍ରତିଶତ ରହିଛି : ଆଇଏମଡି
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ମିଳୁନି ମୁକ୍ତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ କେତେକ ଜିଲ୍ଲାରେ ନିଆଁ ବର୍ଷା ହେଉଛି । ରବିବାର ଭୋର ୫.୦୦ଟା ସୁଦ୍ଧା ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୦.୬ ଡିଗ୍ରୀ ରେକର୍ଡ କରାଯିବା ସହ ଆର୍ଦ୍ରତା ୯୦ ପ୍ରତିଶତ ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।
ସୂଚନାନୁସାରେ, ରାଜ୍ୟରେ ସକାଳ ୮ଟା ସୁଦ୍ଧା ଝାରସୁଗୁଡା ଜିଲ୍ଲାରେ ତାପମାତ୍ରା ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୬.୪ ଡିଗ୍ରୀ, ଭୁବନେଶ୍ୱରରେ ୩୩.୪ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ରାଜ୍ୟରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପର୍ଯ୍ୟନ୍ତ ସରକାରୀ ସୂତ୍ର ଅନୁଯାୟୀ, ୨୦ ଜଣ ଅଂଶୁଘାତରେ ପ୍ରାଣ ହରାଇଛନ୍ତି । ଅଂଶୁଘାତରେ ମୃତୁ୍ୟ ହୋଇଥିବା ପ୍ରତ୍ୟେକଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।