ଆଜିଠୁ ବନ କର୍ମଚାରୀଙ୍କ ଆନ୍ଦୋଳନ

ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଜଣ ସହକର୍ମୀଙ୍କୁ ହତ୍ୟା କରାଯିବା ଘଟଣାର ପ୍ରତିବାଦରେ ବନ କର୍ମଚାରୀମାନେ ଆନ୍ଦୋଳନ କରିବେ

୫ ଦଫା ଦାବି ନେଇ ଜୁଲାଇ ୮ ଯାଏ ଆନ୍ଦୋଳନ

ଭୁବନେଶ୍ବର : ଆଜିଠୁ ବନ କର୍ମଚାରୀଙ୍କ ଆନ୍ଦୋଳନ। ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଜଣ ସହକର୍ମୀଙ୍କୁ ହତ୍ୟା କରାଯିବା ଘଟଣାର ପ୍ରତିବାଦରେ ଅଣଗେଜେଟେଡ୍ ବନ କର୍ମଚାରୀମାନେ ନିଜ ନିଜ କର୍ମକ୍ଷେତ୍ରରେ ପାଟ୍ରୋଲିଂ ବନ୍ଦ କରି ଆନ୍ଦୋଳନ କରିବେ। ବିଭିନ୍ନ ଜଙ୍ଗଲରେ ପାଟ୍ରୋଲିଂ ବନ୍ଦ ରହିବ, କିନ୍ତୁ ଶିମିଳିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ ବନ୍ଦ ହେବନି। ଶିମିଳିପାଳରେ ପି. ଏ କର୍ମଚାରୀ, ଏସିଏଫ୍ ଓ ରେଞ୍ଜ ଅଫିସର ପାଟ୍ରୋଲିଂ କରିବେ।

ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇ କହିଛନ୍ତି, ଆଜିଠାରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଣଗେଜେଟେଡ୍ ବନ କର୍ମଚାରୀ ନିଜ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହାଦ୍ୱାରା ୫ ଦଫା ଗୁରୁତ୍ୱପୂର୍ଣ୍ଣ ଦାବିକୁ ଯଦି ଜୁଲାଇ ୮ ସୁଦ୍ଧା ସରକାର ପୂରଣ ନ କରନ୍ତି, ତେବେ ଜୁଲାଇ ୧୦ ତାରିଖରୁ ପ୍ରାୟ ୮ ହଜାର ଅଣଗେଜେଟେଡ୍ ବନ କର୍ମଚାରୀ ଏକତ୍ରିତ ହୋଇ ଲୋୟର ପିଏମଜିରେ ବିଶାଳ ଆନ୍ଦୋଳନ କରିବେ। ରାଜ୍ୟର ୫୦ଟି ସ୍ଥାନରେ ସ୍ବତନ୍ତ୍ର ଷ୍ଟ୍ରାଇକିଂ ଫୋର୍ସ ମୁତୟନ, ସେମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ, ଜଙ୍ଗଲ ସର୍କଲ୍ ପୁନର୍ଗଠନ, ରେଞ୍ଜ ସେକ୍ସନ୍ ଓ ବିଟର ସଂଶୋଧନ ଆଦି ଦାବି ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆଜିଠାରୁ ୫୪୬୬ ଫରେଷ୍ଟ ଗାର୍ଡ, ୨୫୩୦ ଫରେଷ୍ଟର ଓ ୨୮୨ ରେଞ୍ଜର ନିଜ ନିଜ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେମାନେ ଡ୍ୟୁଟିରେ ରହିବେ କିନ୍ତୁ ପାଟ୍ରୋଲିଂ କରିବେ ନାହିଁ ବୋଲି ସେ କହିଛନ୍ତି।