ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ସ୍ୱଚ୍ଛତା ରହିବା ଉଚିତ : ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନବନିଯୁକ୍ତ ଅଧିକାରୀଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

୨୬୯ ନବନିଯୁକ୍ତ ସରକାରୀ ଅଧିକାରୀଙ୍କୁ ନେଇ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ନବନିଯୁକ୍ତ ଅଧିକାରୀଙ୍କ ପାଇଁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଜି ୨୬୯ ଜଣ ଅଧିକାରୀ ନୂତନ ନିଯୁକ୍ତି ପାଇ ଯୋଗ ଦେଇଛନ୍ତି। ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ୯୦ ଜଣ ସାମାଜିକ ସୁରକ୍ଷା ସେବା ଅଧିକାରୀ, ହେଡ୍ ମାଷ୍ଟର୍ସ ଓ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ୧୯ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଇଛନ୍ତି।
ନୂତନ ଅଧିକାରୀଙ୍କୁ ଶାସନ ବ୍ୟବସ୍ଥାର ୫-ଟି ପଦକ୍ଷେପ ଅନୁସରଣ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିବା, ସମୟସୀମା ଉପରେ ଧ୍ୟାନ ଦେଇ ଏକ ଟିମ୍ ଭାବରେ କାର୍ଯ୍ୟ କରିବା ଏବଂ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ଉଚିତ। ସରକାରୀ ଅଧିକାରୀ ଭାବରେ ଲୋକଙ୍କ ସେବା କରିବା ପାଇଁ ମନରେ ଓ କାର୍ଯ୍ୟରେ ସ୍ୱଚ୍ଛତା ରଖିବା ଦରକାର। ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସଠିକ୍ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଦରକାର। ଏକ ସୁସ୍ଥ ସମାଜ ଗଠନ ପାଇଁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଶିକ୍ଷାଧିକାରୀଙ୍କ ଦାୟିତ୍ବ ଅଟେ।
ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଦ୍ୟାଳୟ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ।