ରୁଚିକା ଆତ୍ମହତ୍ୟା ମାମଲା, ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ଭୁବନେଶ୍ବର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଧାରଣାସ୍ଥଳରୁ ରୁଚିକାଙ୍କ ମା’ଙ୍କୁ ଉଠାଇ ନେଲା ପୋଲିସ । ଜୋର ଜବରଦସ୍ତ ରୁଚିକାଙ୍କ ମା’କୁ ପୋଲିସ ଉଠାଇ ନେଇଛି । ଆନ୍ଦୋଳନରତ ଛାତ୍ର ସଙ୍ଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି । ନ୍ୟାୟ ପାଇଁ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ ରୁଚିକାଙ୍କ ମା’ ।

ଉଲ୍ଲେଖଯୋଗ୍ୟ ଯେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ଦୀର୍ଘ ୧୦ ଦିନ ବିତିଯାଇଥିଲେ ମଧ୍ୟ ରାଗିଂ କରିଥିବା ୩ ଛାତ୍ରୀ ଚିହ୍ନଟ ହୋଇପାରିନାହାନ୍ତି । ନ୍ୟାୟ ପାଇଁ ଧାରଣାରେ ବସିଥିବା ରୁଚିକାଙ୍କ ମା’ କଲେଜ ସମ୍ମୁଖରେ ଶୁଦ୍ଧିକ୍ରିୟା କରିବେ ବୋଲି ପୋଲିସକୁ ଶୁଣାଇଥିଲେ । ନ୍ୟାୟ ପାଇଁ ବସିଛି, ବସିବି, ଘରକୁ ଯିବିନାହିଁ, ଶୁଦ୍ଧିକ୍ରିୟା ଏକାଦଶାହ ସବୁ କଲେଜ ସମ୍ମୁଖରେ କରିବି ବୋଲି ମଧ୍ୟ ରୁଚିକାଙ୍କ ମା’ ଶୁଣାଇଥିଲେ ।

ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେତୁ ନାରାଶ ହୋଇ ସେ ଏଭଳି କହିଥିଲେ ।ଏତେ ଦିନ ଧରି ତଦନ୍ତ ଚାଲୁଥିବାରୁ ପୋଲିସ ଉପରୁ ଧୀରେ ଧୀରେ ଭରସା କମିଯାଉଛି ବୋଲି ରୁଚିକାଙ୍କ ମା’ କହିଥିଲେ । ପୋଲିସ ଟିମ୍ ସବୁଦିନ ଛାତ୍ରୀନିବାସ ଆସୁଛନ୍ତି, ପୁଣି ଫେରିଯାଉଛନ୍ତି । ହେଲେ କେହି ଧରାପଡୁନାହାନ୍ତି । ଫଳରେ ସେ ନିରାଶ ହୋଇଗଲେଣି ବୋଲି ରୁଚିକାଙ୍କ ମା’ କହିଥିଲେ ।