ସଂକ୍ରମଣ ବଢୁଛି, ହେଲେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍‌: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍‌ । ମାତ୍ର ଏକ ପ୍ରତିଶତ ରୋଗୀ ଡାକ୍ତରଖାନା ଯାଉଛନ୍ତି । ସୋମବାର ସୁଦ୍ଧା ୩ ହଜାରରୁ ଅଧିକ ସକ୍ରିୟ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୩୧ ଜଣ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ ୨୫ ଜଣ ICUରେ ଅଛନ୍ତି । ଅଧିକାଂଶ ରୋଗୀ ଲକ୍ଷଣଯୁକ୍ତ ନୁହନ୍ତି । ବୟସ୍କ ଲୋକ, କୋମରବିଡ଼ିଟି ଥିବା କିଛି ରୋଗୀ ଡାକ୍ତରଖାନାରେ ଅଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନି । ଯେଉଁ ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ନାହିଁ । ଯେହେତୁ ବର୍ତ୍ତମାନ ଅନ୍ତଃରାଜ୍ୟ କଟକଣା ନାହିଁ, ବାଣିଜ୍ୟ ବ୍ୟବସାୟ ଉପରେ କଟକଣା ନାହିଁ, ଲୋକମାନଙ୍କ ଯାତାୟାତ ହେଉଛି, ଲୋକ ଏକାଠି ହେଉଛନ୍ତି, ସେସବୁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି । ଆମ ରାଜ୍ୟରେ TPR ଅନୁସାରେ କଟକ, ପୁରୀ, ଖୋର୍ଦ୍ଧାର ସହରାଞ୍ଚଳରେ ସଂକ୍ରମଣ ଅଧିକ ରହିଛି ।