୧୨ ଘଣ୍ଟିଆ ମାଲକାନଗିରି ବନ୍ଦ: ଜନଜୀବନ ପ୍ରଭାବିତ

ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି

୪ ଦଫା ଦାବିନେଇ କଂଗ୍ରେସର ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ହୋଇଛି। କଂଗ୍ରେସ ଡାକରାରେ ବନ୍ଦ ପାଳନ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଯାନବାହନ ଚଳାଚଳ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା। ୧୨୬ ନମ୍ବର ଜାତୀୟ ରାଜପଥରେ ବହୁ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଛି।

ମାଲକାନଗିରିରେ ରକ୍ତଭଣ୍ଡାର ପ୍ରତିଷ୍ଠା, ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଡାଏଲିସିସ୍ ସୁବିଧା, ଜିଲ୍ଲାର ବିଭିନ୍ନ ଖାଲି ପଦବୀରେ ସ୍ଥାନୀୟ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି, ଜିଲ୍ଲାରେ ତୁରନ୍ତ ବିଏଡ୍ କଲେଜ ଖୋଲିବା ଆଦି ୪ ଦଫା ଦାବିନେଇ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାନ ସୂଚନା ଦେଇଛନ୍ତି। ଶୀଘ୍ର ଦାବି ପୂରଣ କରା ନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ପାନ ଚେତାବନୀ ଦେଇଛନ୍ତି।