ପଞ୍ଚାୟତସ୍ତରରେ ହେଉ ଋଣ ମେଳା: ୫-ଟି ସଚିବ

୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଅଛନ୍ତି।

ମେଗା ପାଇପ୍ ଜଳ ଯୋଗାଣର ସମୀକ୍ଷା କଲେ ପାଣ୍ଡିଆନ

ଭୁବନେଶ୍ଵର:୭/୮/୨୩: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭିକେ ପାଣ୍ଡିଆନ ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଅଛନ୍ତି। ପାଣ୍ଡିଆନଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଜନସାଧାରଣଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

ଦ୍ବିତୀୟ ଦିନରେ ପାଣ୍ଡିଆନ ବଲାଙ୍ଗୀରର ସମଲେଇ ମନ୍ଦିର, ଲୋଇସିଂହାର ଯୋଗେଶ୍ୱର ମନ୍ଦିର ଓ ବଙ୍ଗୋମୁଣ୍ଡାସ୍ଥିତ ରାଣୀପୁର ଝରିଆଲ ମନ୍ଦିର ପରିଦର୍ଶନ କରିଛନ୍ତି। ଏହା ସହ ସେ ଶ୍ରଦ୍ଧାଳୁଙ୍କ ଉନ୍ନତ ସୁବିଧା ସହ ମନ୍ଦିରର ବିକାଶ ପାଇଁ ସେବାୟତ, ଟ୍ରଷ୍ଟି ସଦସ୍ୟ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିବା ସହ ମନ୍ଦିରର ରୂପାନ୍ତର ଓ ଆନୁଷଙ୍ଗିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟନ ସୁବିଧା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ମନ୍ଦିରଗୁଡ଼ିକର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସେ କୋଶଳ କଳା ମଣ୍ଡଳ ପଡ଼ିଆ ପରିଦର୍ଶନ କରିଥିଲେ। ପଡ଼ିଆ ଓ ଅନ୍ୟାନ୍ୟ ସୁବିଧାର ବିକାଶ ପାଇଁ ଡିପିଆର୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୫ଟି ଏଚ୍ଏସଟି କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ଯୋଗୀସାର୍ଦା ହାଇସ୍କୁଲ ପରିଦର୍ଶନ କରିଥିଲେ। ସେ ଶିକ୍ଷକ, ଛାତ୍ର, ଏସଏମସି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର ସୁବିଧାର ସମୀକ୍ଷା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାର ସ୍ପିଲୱେ ଏବଂ ସ୍କାଡା ନିୟନ୍ତ୍ରିତ ୟୁଜିପିଏଲ ଜଳସେଚନ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ପ୍ରାୟ ୧,୦୦,୦୦୦ ଏକର ଜମିକୁ ଜଳସେଚନ କରିବା ସହିତ ପାନୀୟ ଜଳ ଯୋଗାଇବ। ଶ୍ରୀ ପାଣ୍ଡିଆନ ଅଗଲପୁର, ଲୋଇସିଂହା, ପୁଇଁତଳା, ତୁରେକେଲା, ବଙ୍ଗମୁଣ୍ଡା ଓ ମୁରିବାହାଲ ବ୍ଲକ ପାଇଁ ୪୮୨ କୋଟି ଟଙ୍କା ବ୍ୟୟରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ।

ପାଣ୍ଡିଆନ ଲୋଇସିଂହା ଓ ମୁରିବାହାଲସ୍ଥିତ ଗୁରୁଣ୍ଡା ଖେଳ ପଡ଼ିଆରେ ଜନଅଭିଯୋଗ ସଭାରେ ମଧ୍ୟ ଯୋଗ ଦେଇଥିଲେ। ପ୍ରଶାସନ ପାଇଁ ପ୍ରାଥମିକତା କାର୍ଯ୍ୟ ଭାବେ ଅଭିଯୋଗ ସମାଧାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ସେ ସୂଚନା ଦେଇଛନ୍ତି। ଶୀଘ୍ର ଅଭିଯୋଗର ସମାଧାନ ପାଇଁ ସେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ମିଶନ ଶକ୍ତି ଗ୍ରୁପ୍ ସହ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ଦୀପକ କୁମାର, ବଲାଙ୍ଗୀର ଜିଲ୍ଲାପାଳ ତଥା ଡିଏମ୍ ଚଞ୍ଚଳ ରଣା, ଏସ୍ ପି ବଲାଙ୍ଗୀର ଖିଲାରୀ ଋଷିକେଶ ଜ୍ଞାନଦେଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ସହ ଗସ୍ତ ସମୟରେ ଉପସ୍ଥିତ ଥିଲେ।