ଉଚ୍ଚସ୍ତରୀୟ ଜାତୀୟ ପ୍ରଶିକ୍ଷଣ ଶିବିରରେ ବିଜ୍ଞାନ ଶିକ୍ଷକ ସମ୍ମାନିତ

ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପୁରସ୍କୃତ

କଲ୍ୟାଣ ସିଂହପୁର, ୩୦/୧୦(ନରସିଂହ ନାଥ ମହାପାତ୍ର): ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସସି)ର ଚଲ୍ଲାକେରେ କ୍ୟାମ୍ପସରେ ଆୟୋଜିତ ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସେଣ୍ଟର (ଟିଡିସି) ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକରପାଇର ବିଜ୍ଞାନ ଶିକ୍ଷକ ଡିଙ୍ଗର ନାଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପୁରସ୍କୃତ ହୋଇ ସମଗ୍ର ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ସୂଚନା ଅନୁଯାୟୀ, ଶିକ୍ଷାଦାନର ମାନ ବୃଦ୍ଧି ଓ ଅଭିନବ ପ୍ରାୟୋଗିକ କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ଜାତୀୟ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିଭାବାନ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏଥିରେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡିଙ୍ଗର ନାଏକ ନିଜର ଉଲ୍ଲେଖନୀୟ ପାରଦର୍ଶିତା, ଶିକ୍ଷାଦାନ ଦକ୍ଷତା ଓ ନିଷ୍ଠାପର ପ୍ରଦର୍ଶନ ବଳରେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ଶ୍ରୀ ନାଏକଙ୍କ ଏହି ସଫଳତା ପାଇଁ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ଗଭୀର ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ମଧ୍ୟ ଶ୍ରୀ ନାଏକଙ୍କ ଏହି ଗୌରବମୟ କୃତିତ୍ୱ ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଏହି ସଫଳତା ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଛି।