ଓଡ଼ିଆ ଘରର ବଡ ପର୍ବ ହେଉଛି ରଜ, ହେଲେ କାହିଁକି ପାଳନ ହୁଏ ରଜ, ଆସନ୍ତୁ ଜାଣିବା 

ଓଡ଼ିଆ ଘରର ବଡ ପର୍ବ ହେଉଛି ରାଜ, ହେଲେ କାହିଁକି ପାଳନ ହୁଏ ରଜ, ଆସନ୍ତୁ ଜାଣିବା 

 

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଏହା ପାଳିତ ହେଇଥାଏ ।

 

ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ‘ନୂଆଖାଇ’ ସହିତ ଏହି ରଜ ପର୍ବର ଏକ ଅତି ମହତ୍ୱପୂର୍ଣ୍ଣ ସାମଞ୍ଜସ୍ୟ ରହିଛି । ତାହା ହେଲା ଉଭୟ ପର୍ବ ଆମ ଧରିତ୍ରୀ ମାତା ଉଦ୍ଦେଶ୍ୟରେ ସମର୍ପିତ । ଉଭୟ ପର୍ବ ମୁଖ୍ୟତଃ କୃଷି ଭିତ୍ତିକ । ରଜ ପର୍ବରେ ଧରଣୀ ମା’ଙ୍କୁ ଆରାଧନା କରାଯାଏ ଏଇ ବର୍ଷ ପାଇଁ ଭଲ ଫସଲ ଦେବା ପାଇଁ , ଭଲ ବର୍ଷା ଦେବା ପାଇଁ ମାଟି ମାଙ୍କୁ ଗୁହାରି କରାଯାଏ , ଆଉ ନୂଆଖାଇ ପର୍ବରେ ଧରଣୀ ମାଙ୍କୁ ଧନ୍ୟବାଦ ଦିଆଯାଏ ଫସଲ ଭଲ ଦେଇ ଆମକୁ ଅନ୍ନ ଦେଇଥିବାରୁ । ତେବେ ନବାନ୍ନ ବା ନୂଆଖାଇ ଦୁଇଦିନ ପାଳନ କରାଯାଉଥିବା ବେଳେ ରଜ ପର୍ବ ୪ ଦିନ ପାଇଁ  ପାଳିତ ହୁଏ ନବାନ୍ନ ସହ ।

 

ରଜ ସଂକ୍ରାନ୍ତି ପଛର ରହସ୍ୟ: ଯଦିଓ ଏହି ପର୍ବ କେବେ, କିପରି ଆରମ୍ଭ ହେଇଥିଲା ତାହାର କିଛି ପ୍ରାମାଣିକ ତଥ୍ୟ ମିଳି ନାହିଁ ଆଜିଯାଏ, ହେଲେ କିମ୍ବଦନ୍ତୀରୁ କିନ୍ତୁ ଏହା ଅତି ପୁରାତନ କାଳରୁ ଚାଲିଆସିଥିବାର ଜଣାଯାଏ । ଆଷାଢ ମାସର ଅୟମାରମ୍ଭ କୁ ଚତୁର୍ମାସ୍ୟର ଆରମ୍ଭ କୁହାଯାଇଥାଏ । ଏହି ମାସକୁ ଦାମ୍ପତ୍ୟ ଜୀବନର ଶ୍ରେଷ୍ଠ ସଂଭୋଗର ମାସ କୁହାଯାଇଥାଏ ।

 

ମହାକବି କାଳିଦାସ ତାଙ୍କର ମେଘଦୂତ କାବ୍ୟରେ ଏହା ଉପରେ ଖୁବ ସୁନ୍ଦର ବର୍ଣନା ଦେଇଛନ୍ତି । ଏହି ଆଷାଢ଼ର ପାହେଲି ବରଷାର ଆଗମନରେ ମେଘ ଓ ଧରିତ୍ରିର ମାଟିର ମିଲନ ଘଟେ । ମା ମାଟି ହେଇଥାଏ ରଜସ୍ଵଳା । ଆମ ଦେଶ ବିଶେଷତଃ ଆମ ରାଜ୍ୟ ମୁଖତଃ କୃଷି ପ୍ରଧାନ, ମା ମାଟି ହିଁ ଆମକୁ ସବୁ କିଛି ଦିଏ , ଯେପରି ସ୍ନେହମୟୀ ମା ନିଜ ସନ୍ତାନ ପାଇଁ ସବୁକିଛି ଅଜାଡି ଦେଇଥାଏ , ଆମେ ମଧ୍ୟ ଯାହାକିଛି ପ୍ରତ୍ୟକ୍ଷ ବା ପରୋକ୍ଷ ରେ ପାଇଥାଉ ଏହି ମା ମାଟି ଠାରୁ ।

 

ମା’ ଟିଏ ଯେପରି ସନ୍ତାନ ପ୍ରଜଜନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ ସେମିତି ପ୍ରଜଜନକ୍ଷମ ହେବାକୁ ଯାଉଥିବା ଧରିତ୍ରି ମା କୁ ମଧ୍ୟ ତିନିଦିନ ବିଶ୍ରାମ ଦେବା ପାଇଁ ଏହି ପର୍ବ ଆରମ୍ଭ ହେଇଥିବା ବିଷୟ କିମ୍ବଦନ୍ତୀ କହେ ।ଅଷାଡର ପହିଲି ବରଷାରେ ମା ମାଟିର ପ୍ରଜନନ ଶକ୍ତି ଜାଗ୍ରତ ହୁଏ । ତେଣୁ ଏହି ମୁଖ୍ୟ ରଜ ତିନିଦିନ କୌଣଶି ପ୍ରକାର ଭୂ – ଖନନ କରାଯାଏ ନାହିଁ ।

 

ଧରିତ୍ରି ମା ସହିତ ସମଗ୍ର ମାତୃ ଜାତି ଙ୍କୁ ଏହି ପର୍ବ ମଧ୍ୟ ଉତ୍ଶାର୍ଗୀକୃତ କରାଯାଇଥାଏ । କୁମାରୀ କନ୍ୟା ମାନଙ୍କ ପାଇଁ ଏହା ବହୁତ ମହତ୍ଵ ରଖେ , କାରଣ ତାଙ୍କ ପାଇଁ ଏହି ପର୍ବକୁ ତାଲିମ ପ୍ରଦାନକାରୀ ପର୍ବ ଭାବରେ ଧରାଯାଏ । ରଜସ୍ଵଳା ମା ମାଟିକୁ ଯେପରି ଖନନ ଆଦି ନ କରି ବିଶ୍ରାମ ଦିଆ ଯାଇଥାଏ , ଗୃହର ନାରୀ ମାନେ ମଧ୍ୟ କଠିନ ଗୃହ କର୍ମ ଆଦି ନ କରି ପର୍ବ ପାଳନ କରନ୍ତି ଓ ବିଭିନ୍ନ ପ୍ରକାର ମଉଜ ମଜଲିସର ଆସର ଜମେଇ ଥାଆନ୍ତି ।

 

ଓଡ଼ିଶାରେ କିପରି ପାଳିତ ହୋଇଥାଏ ରଜ ସଂକ୍ରାନ୍ତି:

ରଜ ସଂକ୍ରାନ୍ତି ହଉଛି ରଜ ମହୋତ୍ସବର ଦ୍ଵିତୀୟ ଦିବସ । ଏହାର ପ୍ରଥମ ଦିବସକୁ ପହିଲି ରଜ କୁହାଯାଇଥାଏ । ରଜ ସଙ୍କ୍ରାନ୍ତି ର ପରଦିନକୁ ଭୂମିଦାହ ଓ ଚତୁର୍ଥ ଦିବସକୁ ବସୁମତୀ ସ୍ନାନ ଭାବରେ ପାଳିତ ହୁଏ । ଏହି ଚତୁର୍ଥ ଦିବସଟି ଚାଷୀ ଭାଇ ମାନଙ୍କ ପାଇଁ ଚାଷ କର୍ମ ଆରମ୍ଭ ର ଦିବସ ଭାବରେ ଅନୁକୂଳ କରନ୍ତି ଧରଣୀ ମା ଙ୍କ ଆରାଧନା ତଥା ତାଙ୍କ ହଳଲଙ୍ଗଳ କୁ ପୂଜା କରି ।ତା ପୂର୍ବରୁ ତିନିଦିନ ପାଇଁ ହଲ ଲଙ୍ଗଳ ବ୍ୟବହାର ହେଇ ନ ଥାଏ ।

 

ପୁରୁଷ ମାନେ ସିନା ବର୍ଷ ରେ ଅନେକ ଦିନ ଛୁଟି ପାଇ ମଉଜ ମଜଲିସ କରନ୍ତି , ଗାଁ ଗହଳି ହଉ ବା ସହର ହଉ ମହିଳା ମାନେ ଛୁଟି ପାନ୍ତି ନାହିଁ ବର୍ଷ ସାରା । ରୋଷେଇ ବାସ , ଅତିଥି ଚର୍ଚା , ଘରର ସମସ୍ତଙ୍କ ଦେହ ପା ର ଯତ୍ନ ସବୁକିଛି କରିବାକୁ ହୁଏ ମହିଳା ଙ୍କୁ । ତାଙ୍କ ଇଚ୍ଛା ହେଲେ ବି ସେମାନେ ବୁଲିବାକୁ ଯାଇପାରନ୍ତି ନାହି ମୁକ୍ତ ଆକାଶ ତଳକୁ ।ଖେଳି ପାରନ୍ତି ନାହି ନିଜର ସଖି ମାନଙ୍କ ସହ ।  ରଜ ପର୍ବ ଚାରିଦିନ ପାଇଁ ମଉଜ କରନ୍ତି  । କୁମାରୀ ଝିଅ ମାନେ ଅତି ଆନନ୍ଦରେ ଏହି ପର୍ବ ସମୟ ରେ ନୂଆ ଶାଢୀ ପିନ୍ଧି , ପଦ ରେ ଅଳତା ଓ ଅନ୍ୟ ଶୃଙ୍ଗାର କରି, ଧରିତ୍ରି ମାକୁ କଷ୍ଟ ନ ଦେବାକୁ ପାଦରେ ପତ୍ର ବା ଖୋଳପା ନିର୍ମିତ କଠଉ ପିନ୍ଧି ରଜ ଡୋଲି , ଓ ଅନ୍ୟ ଝିଅ ମାନଙ୍କ ଖେଳ ସବୁ ଖେଳନ୍ତି ।

ସେହି ଦିନ ମାନଙ୍କରେ ପ୍ରତି ଓଡିଆ ଘରେ ଆଗରୁ ନିର୍ମିତ ହେଇ ରହୁଥିବା ସବଦିଷ୍ଟ ଓଡିଆ ପୋଡା ପିଠା ଆଦି ଖୁଆଯାଇଥାଏ । ପୋଡା ପିଠା , ଚକୁଳି ପିଠା ଆଦି ପ୍ରସ୍ତୁତ ହେଇଥାଏ । ‘ରଜ ପାନ’ ମଧ୍ୟ ରଜ ର ଏକ ବିଶିଷ୍ଟତା । ଏହି ଦିନ ସମସ୍ତେ ତାଙ୍କର ବନ୍ଧୁ ,ପରିଜନ, ଆତ୍ମୀୟ ଙ୍କୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ସୁମିଷ୍ଟ ପାନ ପ୍ରଦାନ କରନ୍ତି । ଏହି ପାନ ସାଧାରଣ ପାନ ନ ହେଇ ଏଥିରେ ଗୁଆ , ଅଳେଇଚ , ଗୁଜୁରାତି , ଚାଉଳ , ନଡିଆ ଲବଙ୍ଗ ଛୁଆ ଆଦି ୧୨ ପ୍ରକାର ମସଲା ପଡି ଅତ୍ୟନ୍ତ ସୁବାସିତ ଓ ସୁମିଷ୍ଟ ହେଇଥାଏ ଓ ଏହା ପାରସ୍ପରିକ ସ୍ନେହ , ଭଲ ପାଇବା, ଓ ଅପଣାପଣର ଏକ ପ୍ରତୀକ ଭାବେ ଗଣାଯାଏ ।

ଘରର ଝିଅ ମାନେ ସାଧାରଣତଃ ଘର ଲୋକ ସମେତ ସମସ୍ତ ବନ୍ଧୁ ବାନ୍ଧବୀ , ଆତ୍ମୀୟ ପରିଜନ ଓ ନିଜର ପ୍ରିୟ ବ୍ୟକ୍ତି ଙ୍କୁ ଏହି ରଜ ପାନ ପ୍ରଦାନ କରନ୍ତି । ରଜ ପର୍ବ ର ଅନ୍ତିମ ଦିବସ ଟି ହେଲା ବସୁମତୀ ସ୍ନାନ ଦିବସ । ଘର ର ମହିଳା ଓ କୁମାରୀ ଝିଅ ମାନେ ଏହି ଦିନ ଖୁବ ପ୍ରାତଃ କାଳରୁ ଉଠି ଧରଣୀ ମା ଙ୍କ ପ୍ରତିକୃତି ଭାବେ ଶିଳପୁଆକୁ ହଳଦୀ କନାରେ ଗୁଡେଇ ନିକଟ ରେ ଅମ୍ବଡାଳ ଯୁକ୍ତ କଳଶ ସ୍ଥାପନା କରି କ୍ଷୀର ଦେଇ ସ୍ନାନ କରାନ୍ତି । ଧରଣୀ ମାତା ସ୍ନାନ କରି ଶୁଦ୍ଧ ହୁଅନ୍ତି । ଏହି ଦିନ ଚାଷୀ ଘରେ ଖୋଲେ ମହାଲକ୍ଷ୍ମୀ ପେଡି । ରଜ ପର୍ବର ପରିସମାପ୍ତି ହୁଏ ।