ପାନ ଚାଷୀଙ୍କ ବିକାଶ ପାଇଁ ବ୍ୟାପକ କରାଯିବ ଯୋଜନା: ପାଣ୍ଡିଆନ

ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ଦୁଇ ଦିନିଆ ପୁରୀ ଜିଲ୍ଲା ଗସ୍ତରେ ଆସିଛନ୍ତି।

ଦ୍ୱିତୀୟ ଦିନରେ ୫-ଟି ସଚିବଙ୍କ ପୁରୀ ଗସ୍ତ

ଭୁବନେଶ୍ଵର;19/08/2023: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ଦୁଇ ଦିନିଆ ପୁରୀ ଜିଲ୍ଲା ଗସ୍ତରେ ଅଛନ୍ତି। ଦ୍ୱିତୀୟ ଦିନରେ ଶ୍ରୀ ପାଣ୍ଡିଆନ କାକଟପୁର, ନିମାପଡ଼ା, ଅସ୍ତରଙ୍ଗ, ଗୋପ ଓ ସତ୍ୟବାଦୀ ବ୍ଲକରେ ୩୯୬.୫ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ଓ ଅନ୍ୟାନ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ। ଡିସେମ୍ବର ୨୦୨୩ରୁ ଆରମ୍ଭ ହେବାକୁ ଥିବା ସମୟସୀମା ଅନୁଯାୟୀ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କାକଟପୁର, ନିମାପଡ଼ା ଓ ସତ୍ୟବାଦୀରେ ଜନଅଭିଯୋଗ ସମାଧାନ ସଭାରେ ସେ ଯୋଗ ଦେଇଥିଲେ। ସେ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସମ୍ପର୍କରେ ସେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ।

ଏହାପରେ ସେ ପୁରୀରେ ମିଶନ ଶକ୍ତି ଗ୍ରୁପ୍ ସହ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମହିଳା ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ କହିଛନ୍ତି। ଜିଲ୍ଲାରେ ଥିବା ଡିଏଲଏଫ୍ ଓ ବିଏଲଏଫ କୋଠାଗୁଡିକୁ ଶୀଘ୍ର ସମ୍ପୂର୍ଣ୍ଣ କରି ସ୍ଥାନାନ୍ତର କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କାକଟପୁରରେ ଜମି ସର୍ଭେ ଓ ସମାଧାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୀର୍ଘଦିନ ଧରି ଅଟକି ରହିଥିବା ଜମି ପଟ୍ଟା ସମସ୍ୟାର ସମାଧାନ ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳର ପାନ ଚାଷୀଙ୍କ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ଆଶିଷ କୁମାର ସିଂହ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ ପି କନୱର ବିଶାଲ ସିଂହ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।