ବିଶିଷ୍ଟ ଓଡିଆ ଅଭିନେତ୍ରୀ ସୁଧାରାଣୀ ଜେନାଙ୍କ ପରଲୋକ

ବିଶିଷ୍ଟ ଓଡିଆ ଅଭିନେତ୍ରୀ ସୁଧାରାଣୀ ଜେନାଙ୍କ ପରଲୋକ ଘଟିଛି ।

ଓଡିଆ ସିନେ ଜଗତରେ ଅପୂରଣୀୟ କ୍ଷତି

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଅଭିନେତ୍ରୀ ସୁଧାରାଣୀ ଜେନାଙ୍କ ପରଲୋକ ଘଟିଛି । ୧୯୬୦ ଦଶକରେ ଅଭିନୟ ଜୀବନ ଆରମ୍ଭ କରିଥିବା ସୁଧାରାଣୀ ‘ଗପ ହେଲେ ବି ସତ’, ‘ରାମ ବଳରାମ’, ‘କାବେରୀ’, ‘ଝିଅ ଟି ସୀତା ପରି’, ‘ଶଙ୍ଖ ମହୁରୀ’, ‘ଟୋପେ ସିନ୍ଦୁର ଦି ପଟ ଶଂଖା’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିବା ସହ ନିଜ ପାଇଁ ତିଆରି କରିଥିଲେ ସ୍ୱତନ୍ତ୍ର ପରିଚୟ । ବୃତିରେ ଡାକ୍ତର ଥିବା ସୁଧା ଜଣେ କଥାଚିତ୍ର ଅଭିନେତ୍ରୀ ଥିଲେ । କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କ ପ୍ରଯୋଜିତ ‘ପରିନାମା’ରୁ ସେ ଡେବ୍ୟୁ କରିଥିଲେ । କିନ୍ତୁ ୧୯୭୬ ମସିହା ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ପାଇଁ ମାଇଲଷ୍ଟୋନ । ଗୋଟେ ପରେ ଗୋଟେ ହିଟ ସିନେମା ଦେଇ ତାଙ୍କ ଅଭିନୟର ଯାଦୁ ଦେଖାଇ ଚାଲିଥିଲେ ସୁଧା । ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିଣି ଚାଲିଥିଲେ । ନିଜର ଚମତ୍କାର ଅଭିନୟ ପାଇଁ ସେ କ୍ରମାଗତ ଭାବେ ୪ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ସୁଧାଙ୍କ ପରଲୋକ ଘଟିବା ପରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଓଡିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଯାଇଛି ।