ଚନ୍ଦାମାମା ଅବ ଦୂର ନେହିଁ!

ସନ୍ଧ୍ୟା ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟ ଲ୍ୟାଣ୍ଡିଂ କଲା ।

ଜହ୍ନକୁ ଛୁଇଁଲା ଭାରତ

ନୂଆଦିଲ୍ଲୀ: ଭାରତ ରଚିଲା ସ୍ୱର୍ଣ୍ଣିମ ଇତିହାସ । ଚନ୍ଦ୍ରରେ ପାଦ ଥାପିଲା ଭାରତ । ସଫଳ ହେଲା ମୁନ ମିଶନ । ଚନ୍ଦ୍ରରେ ଲ୍ୟାଣ୍ଡ କଲା ଭାରତର ଚନ୍ଦ୍ରୟାନ-୩ । ତୃତୀୟ ପ୍ରୟାସରେ ଭାରତକୁ ମିଳିଛି ସଫଳତା । ସନ୍ଧ୍ୟା ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟ ଲ୍ୟାଣ୍ଡିଂ କଲା । ଦକ୍ଷିଣମରେୁରେ ଉଡିଲା ଭାରତ ତ୍ରିରଙ୍ଗା । ଏହି ଅଭିଯାନ ଆରମ୍ଭ ହୋଇଥିଲା ଜୁଲାଇ ୧୪ରୁ । ଜୁଲାଇ ୧୪ରେ ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣ ପରେ ବିଶ୍ୱବାସୀଙ୍କ ନଜର ଥିଲା ଚନ୍ଦ୍ରୟାନ ଉପରେ । ଆଉ ଏବେ ସେହି ଅପେକ୍ଷାର ଘଟିଛି ଅନ୍ତ । ଶେଷରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କଲା ଭାରତ । ପୂର୍ବରୁ ଆମେରିକା, ଋଷ ଓ ଚୀନ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ । ଦକ୍ଷିଣମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ । ଚନ୍ଦ୍ରରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଟୁଇଟ କରି ଲେଖିଛି, ‘‘ଚନ୍ଦ୍ରୟାନ-୩ ମିଶନ; ଭାରତ, ମୁଁ ମୋ ଗନ୍ତବ୍ୟସ୍ଥଳରେ ପହଂଚିଛି ଏବଂ ଆପଣ ବି!’’
ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ସେ ସେଠାରୁ ଲାଇଭରେ ଭର୍ଚୁଆଲ ଭାବରେ ଇସ୍ରୋ ବୈଜ୍ଞାନିକମାନଙ୍କ ସହ ଯୋଡି ହୋଇଥିଲେ । ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ଚନ୍ଦ୍ରୟାନ-୩ର ଐତିହାସିକ ସଫ୍ଟ ଲ୍ୟାଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ଏହା ଏକ ନୂତନ ଯୁଗର ପ୍ରାରମ୍ଭ । ପ୍ରତ୍ୟେକ ଭାରତୀୟ ଆଜି ଉତ୍ସବ ପାଳନ କରୁଛନ୍ତି । ଏହି ଗର୍ବିତ ମୁହୂର୍ତରେ ମୁଁ ଦେଶବାସୀଙ୍କ ସହ ଯୋଡି ହୋଇଛି । ପୂର୍ବରୁ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣମେରୁରେ ପହଂଚି ନାହାନ୍ତି । ଆମ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ବଳରେ ଆମେ ସେଠାରେ ପହଂଚି ପାରିଛୁ । କଭି କହା ଯାତା ଥା ଚନ୍ଦା ମାମା ବହୁତ ଦୂର ହେଁ, ଅବ ଏକ ଦିନ ୱ ଭି ଆୟେଗା, ଜବ ବଚ୍ଚେ କହା କରେଙ୍ଗେ ଚନ୍ଦା ମାମା ବସ୍ ଏକ ଟୁର ହେଁ । ସେ ଦକ୍ଷିଣଆଫ୍ରିକାରେ ଥାଇ ମଧ୍ୟ ତାଙ୍କ ହୃଦୟ ଚନ୍ଦ୍ରୟାନ ଅଭିଯାନ ସହିତ ରହିଛି ବୋଲି ମୋଦି କହିଛନ୍ତି ।