ଜହ୍ନ ରାଇଜରେ ପଦ୍ମଶ୍ରୀ କବି ଜୟନ୍ତ: ଲିଭିଗଲା କଲମ ମୁନର ବହ୍ନି

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳିଯାଇଛି।

ଛାଡିଗଲେ ୩ଟି ଇଚ୍ଛାପତ୍ର

କଟକ: ଅଫେରା ରାଇଜକୁ ଚାଲିଗଲେ ବିଶ୍ୱବିଦିତ କବି। ଦିନେ ସ୍ୱପ୍ନ ଦେଖୁଥିଲେ ବିଜ୍ଞାନର ପହଞ୍ଚ ଜହ୍ନ ଯାଏ ହେଉ। ଆଜି ସେ ନିଜେ ଯାଇ ଜହ୍ନ ପାଖରେ ପହଞ୍ଚି ଯାଇଛନ୍ତି। ତାଙ୍କ ପାଇଁ ଅଧୁରା ରହିଗଲା କଲମର ମୁନର ସେହି ବହ୍ନି। ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଇଂରାଜୀ କବି ତଥା ଓଡିଶାର ଏକମାତ୍ର କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଆଉ ନାହାନ୍ତି। କଟକ ବଡ ମେଡିକାଲରେ ୯୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। କିଛି ଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବଡମେଡିକାଲ ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା। ଗତ କାଲି ରାତି ୯ଟାରେ ସେ ଇହଲୀଳା ସମ୍ବରଣ କରିଥିଲେ। ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ଯକ୍ତି ମେଡିକାଲରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ଶ୍ରୀ ମହାପାତ୍ରଙ୍କ କଟକର ତିନିକୋଣିଆବଗିଚାସ୍ଥିତ ବାସଭବନରେ ମରଶରୀରକୁ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ପରେ ଗାର୍ଡ ଅଫ ଅନର ଦିଆଯାଇ ଖାନନଗରର ଏକ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଶ୍ରୀ ମହାପାତ୍ର ଇଂରାଜୀ ଭାଷାରେ ୩ଟି କଥା ଇଚ୍ଛାପତ୍ରରେ ଲେଖିଥିଲେ। ଖାନନଗର ବିଦ୍ୟୁତ ଚୁଲାରେ ଦାହ କରାଯିବ, ୩୫ ବର୍ଷ ଧରି ତାଙ୍କର ସେବା କରିଥିବା ଜେ. ସରୋଜିନୀଙ୍କୁ ୨୦-୨୦ ଫୁଟ ଜମି ଦିଆଯିବ ଏବଂ ସବୁ ଚିଠି, ଦସ୍ତାବିଜ ଓ ଅସମ୍ପୂର୍ଣ୍ଣ ପାଣ୍ଡୁଲିପିକୁ ପୋତି ଦିଆଯିବ।

କବି ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ୧୧ରେ ତିନିକୋଣିଆବଗିଚାରେ ଜନ୍ମଗ୍ରହଣ କରିଥିଲେ। ଷ୍ଟିୱାର୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ପରେ ରେଭେନ୍ସା କଲେଜରେ ସ୍ନାତକ ଓ ପାଟଣା ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ରେଭେନ୍ସା କଲେଜ, ଗଙ୍ଗାଧର ମେହେର ସମେତ ବିଜେପି କଲେଜରେ ଅଧ୍ୟାପନା କରିଥିଲେ। ପରେ ସେ ୧୯୮୬ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ସେ ଓଡ଼ିଶାର ଏକମାତ୍ର କବି ଥିଲେ, ଯିଏ ଇଂରାଜୀରେ କବିତା ରଚନା କରି ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ରଚିତ ଇଂରାଜୀ କବିତା ପୁସ୍ତକ ‘ରିଲେସନସିପ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କରିଥିଲେ। ଇଣ୍ଡିଆନ ସମର, ହଙ୍ଗର ଭଳି ୨୦ରୁ ଉର୍ଦ୍ଧ୍ଵ ଇଂରାଜୀ କବିତା ଓ ସାହିତ୍ୟ ଲେଖିଥିଲେ।

ବିଶିଷ୍ଟ କବି ଶ୍ରୀ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ନବୀନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ମହାପାତ୍ର ଜଣେ କିମ୍ବଦନ୍ତୀ ଲେଖକ ଓ କବି। ସେ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ଧୂର୍ତ୍ତ ଥିଲେ। ସେ ଉଭୟ ଇଂରାଜୀ ସାହିତ୍ୟ ଲେଖିବା ପାଇଁ ତାଙ୍କ ବୁଦ୍ଧି ଏବଂ ଜ୍ଞାନ ବହୁ ଯୁବପିଢିଙ୍କୁ ମାର୍ଗଦର୍ଶନ କରିଥିଲା। ସୋମବାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଶ୍ରୀ ମହାପାତ୍ରଙ୍କ ଖବର ଶୁଣି ସେ ଅତ୍ୟନ୍ତ ଦୁଃଖିତ। ତାଙ୍କ ସାହିତ୍ୟରେ ଓଡିଶା ମାଟିର କଥା ପ୍ରସ୍ଫୁଟିତ ହୁଏ। ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା। ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ଇଂ ମହମ୍ମଦ ମୋକିମ୍, ମେୟର ସୁବାସ ସିଂହ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।