ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି: ଜଟଣୀ ଖାସମାହଲ ଜମି ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି

ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ ଟାସ୍କ ଫୋର୍ସର ଏସଓପି ଭିତ୍ତିରେ ନିର୍ଦ୍ଧାରିତ ହେବ

ଡିସେମ୍ବରରୁ ପଟ୍ଟା ବଣ୍ଟନ

ଭୁବନେଶ୍ବର, ୦୪.୦୯.୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା। ଏ ସମସ୍ୟା ସଂପର୍କରେ ଜନସାଧାରଣ ୫-ଟି ସଚିବଙ୍କୁ ଜଣାଇଥିଲେ। ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ୫୩୭ ପରିବାର ଉପକାର ପାଇବେ।

ସେହିପରି ଭୁବନେଶ୍ୱର ତହସିଲରେ ପତିତ ଜମିର ସତ୍ତ୍ୱ ନେଇ ଦୀର୍ଘ ୬୦ ବର୍ଷ ଧରି ସମସ୍ୟା ଲାଗି ରହିଛି। ଏ ସମ୍ପର୍କରେ ବିଭିନ୍ନ ରାଜସ୍ୱ ଅଦାଲତରେ ୧୦୫୪୩ଟି ମାମଲା ଚାଲିଛି। ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ଏସଓପି ଭିତ୍ତିରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ ନିମନ୍ତେ ସମୟ ବଦ୍ଧ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ।