ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ ହେଉ ବଜ୍ରପାତ

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

କେନ୍ଦ୍ରକୁ ରାଜ୍ୟର ଅନୁରୋଧ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଅପେକ୍ଷା ବଜ୍ରପାତ ବହୁତ ହେଉଛି। ଗତ ସେପ୍ଟେମ୍ବର ୨ ତାରିଖରେ ରାଜ୍ୟରେ ବର୍ଷା ସହ ପ୍ରାୟ ୬୦,୦୦୦ ବଜ୍ରପାତ ହୋଇଥିଲା। ଯାହାଫଳରେ ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।ଏହାବ୍ୟତୀତ ଅତ୍ୟଧିକ ବଜ୍ରପାତରେ ଗୋରୁ ଓ ଛେଳି ସମେତ ଅନେକ ପଶୁଙ୍କ ମୃତ୍ୟୁ ଘଟିଥିବାର ରିଲିଫ କମିଶନର ସୂଚନା ଦେଇଥିଲେ। ଅଧିକ ମାତ୍ରାରେ ବଜ୍ରପାତ ହେବାରୁ ଅନେକ ଧନ ଜୀବନ ହାନି ହେଉଛି। ସେହିଭଳି ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ଏଥିରେ କୌଣସି ପ୍ରକାର ସହାୟତା ମିଳେ ନାହିଁ। ତେଣୁ ବାତ୍ୟା, ବନ୍ୟା, ଭୂମିକମ୍ପ ଭଳି ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଏହା ସହ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଏ ପ୍ରସ୍ତାବ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରି ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମଧ୍ୟ କେନ୍ଦ୍ର ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରିଛନ୍ତି।