ସେପ୍ଟେମ୍ବର ୨୯ରୁ ରାଜ୍ୟରେ ବର୍ଷା

ସେପ୍ଟେମ୍ବର ୨୯ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଇଏମଡିର ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସେପ୍ଟେମ୍ବର ୨୯ରୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ସାଇକ୍ଲୋନିକ୍ ପ୍ରବାହ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସାଗର ତଥା ବଙ୍ଗୋପସାଗରର ପୂର୍ବ ସେଣ୍ଟ୍ରାଲ୍ ଉପକୂଳରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ଧୀରେ ଧୀରେ ତୀବ୍ର ହେବାର ସମ୍ଭାବନା ସହିତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଯାହାଫଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆସନ୍ତା ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୁଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସେପ୍ଟେମ୍ବର ୨୯ରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି ଏବଂ କୋରାପୁଟର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ସେପ୍ଟେମ୍ବର ୩୦ରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର ଏବଂ ବାଲାଙ୍ଗୀରରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେଓଗଡ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଇଏମଡି ସୂଚନା ଦେଇଛି।