ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ

ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି।

ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ବିଜେଡିରେ ସାମିଲ

ଭୁବନେଶ୍ୱର, ୨୬/୦୯/୨୦୨୩: ଯାଜପୁର ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି ଶଙ୍ଖଭବନଠାରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ଉପସ୍ଥିତ ରହି ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ।

ଏହି ଅବସରେ ବିଜେଡ଼ିରେ ସାମିଲ୍ ହୋଇଥିବା ଶ୍ରୀ ଧଳ ଏବଂ ଶ୍ରୀ ମେକାପ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଲୁ । ଯାଜପୁର ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ଏବଂ ଦଳରେ କାମ କରିବାର ସୁଯୋଗ ମିଳୁନଥିବାରୁ କ୍ଷୋଭ ପ୍ରକାଶ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇଛୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ବିଜେପି ଛାଡି ବିଜେଡିରେ ମିଶିଥିବା କର୍ମକର୍ତ୍ତାମାନେ ହେଲେ ଯାଜପୁର ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ମହିଳା ମୋର୍ଚ୍ଚାର ଉପସଭାପତି ମନୋରମା ମିଶ୍ର, ମାଳନ୍ଦାପୁର ଗ୍ରାମପଞ୍ଚାୟତର ୱାର୍ଡ଼ମେମ୍ବର ଅଶୋକ ଧଳ, ଶମ୍ବୁନାଥ ଦାସ, ଭୁବନେଶ୍ୱର ଗ୍ରାମପଞ୍ଚାୟତର ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ, ବେରୁଡ଼ା ମୋର୍ଚ୍ଚାର ସଦସ୍ୟ କାଞ୍ଜନବାଳା ସାମଲଙ୍କ ସହ ଶତାଧିକ କର୍ମକର୍ତ୍ତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବେଳେ ମୁଖପାତ୍ର ତୁମ୍ବନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।