ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।

ବିକାଶ ବିପକ୍ଷରେ ବିରୋଧୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୨/୧୦: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡିଶାର ପ୍ରତ୍ୟେକ ୱାର୍ଡ ଓ ପଂଚାୟତରେ ପଦଯାତ୍ରା ଆୟୋଜନ କରାଯାଉଛି । ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ବିଜେଡୁି କର୍ମୀ ଓ ନେତାମାନେ ଯୋଗ ଦେବେ ଏବଂ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ଅନ୍ୟ ବରିଷ୍ଠ ନେତାମାନେ ତଦାରଖ କରିବେ । ଏହି ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ ଅଭିଯାନ କରାଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବା ଓ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି, ଶାସକ ବିଜେଡି ରାଜ୍ୟର ପଛୁଆ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି । ବିଦ୍ୟାଳୟ, ଖାଦ୍ୟ ନିରାପତା ଓ କ୍ରୀଡାରେ ପରିବର୍ତନ ଆଣି ରାଜ୍ୟରେ ଉଦାହରଣ ସୃଷ୍ଟି କରିଛି । ବିରୋଧି ଦଳ ହେଉଛନ୍ତି ବିକାଶ ବିରୋଧି ଓ ଜନବିରୋଧି । ସେମାନେ କେବଳ ଭୁଲ ସୂଚନା ଦେଇ ଲୋକଙ୍କୁ ବୀଭ୍ରାନ୍ତ କରୁଛନ୍ତି । ନିର୍ବାଚନ ପୂର୍ବରୁ ସେମାନେ ଏଭଳି କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ରାଜ୍ୟବାସୀ ବର୍ଷ ବର୍ଷ ଏହାକୁ ପ୍ରତ୍ୟାଖାନ କରି ଆସୁଛନ୍ତି ।