କେନ୍ଦ୍ରାପଡା ରସାବଳୀକୁ ଜିଆଇ ଟ୍ୟାଗ

କେନ୍ଦ୍ରାପଡା ରସାବଳୀକୁ ଜିଆଇ ଟ୍ୟାଗ ମିଳିଛି ।

୨୦୨୧ରୁ ଦାବି ହୋଇ ଆସୁଥିଲା

ଭୁବନେଶ୍ୱର,୦୩/୧୦: କେନ୍ଦ୍ରାପଡା ପ୍ରସିଦ୍ଧ ମିଠା ରସାବଳୀକୁ ମଙ୍ଗଳବାର ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ ପ୍ରଦାନ କରାଯାଇଛି । ୨୦୨୧ ମସିହାରେ କେନ୍ଦ୍ରାପଡାର ରସାବଳୀ ନିର୍ମାଣ ସଂଘ ପ୍ରଥମେ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲା । ପରେ ରାଜ୍ୟସଭା ସାଂସଦ ସୁଭାଷ ସିଂହଙ୍କ ନେତୃତ୍ୱରେ ମୁନ୍ନା ଖାନ ଓ ମମତା ମହାନ୍ତିଙ୍କ ସହ ଓଡିଶାର ଅନ୍ୟ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ରସାବଳୀକୁ ଜିଆ ମାନ୍ୟତା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଗବେଷକଙ୍କ କହିବାନୁଯାୟୀ, ମଧ୍ୟଯୁଗର ରାଜା ଅନଙ୍ଗଭୀମ ଦେବାଙ୍କ ଶାସନ କାଳରୁ ମିଠା ଭାବରେ ରସାବଳୀକୁ ବ୍ୟବହୃତ କରାଯାଉଥିଲା । ଏହା ସହ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ୩୨ ପ୍ରକାରର ରସାବଳୀ ଅର୍ପଣ କରାଯାଇଥାଏ, ଯାହାକି ଆଜି ଯାଏ ବି ଏହି ପ୍ରଚଳନ ଚାଲିଛି । ପୂର୍ବରୁ ଏହି ମିଠା କେବଳ ମନ୍ଦିରରେ ଭଗବାନଙ୍କୁ ସମର୍ପଣ କରାଯାଉଥିବା ବେଳେ ଏବେ ଏହା ଓଡିଶାର ଅନ୍ୟାନ୍ୟ ଜାଗାରେ ମଧ୍ୟ ସହଜରେ ଉପଲବ୍ଧ ହେଉଛି ।