ଜୟନାରାୟଣଙ୍କ ପାଗଳାମୀ ରାଜ୍ୟ ବିଜେପିକୁ ବୁଡାଇବ: ବିଜେଡି

ଜୟନାୟରଣଙ୍କୁ ଜବାବ ଦେଲା ବିଜେଡି

ବାଚାଳାମୀ ବନ୍ଦ ନକଲେ ୨୨ରୁ ୨କୁ ଖସିବ ରାଜ୍ୟ ବିଜେପି

ଭୁବନେଶ୍ୱର, ୦୪/୧୦/୨୦୨୩: ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ କହିଛନ୍ତି ଯେ ଶୁଣିବାକୁ ମିଳିଲା କୋଲକାତାରେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଆପଣ ଅଧାରୁ ଚାଲିଆସିଛନ୍ତି । ସେଠାରେ ପାଗଳାମୀ ଦୂର କରିବାକୁ ଇଲେକ୍ଟ୍ରିକ ସକ୍ ଟ୍ରିଟମେଣ୍ଟ ଆରମ୍ଭ କରାଯିବା ଶୁଣି ଛାନିଆ ହୋଇ ଚାଲିଆସିଲେ । ଯେହେତୁ ଆପଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇନାହାନ୍ତି, ତେଣୁ ପାଗଳର ପ୍ରଳାପ ଜାରି ରଖିଛନ୍ତି ।

ଜୟନାରାୟଣ ବାବୁ, ନା ଆପଣ ରାଜ୍ୟ ବିଜେପି ସଭାପତିଙ୍କ କଥା ଶୁଣୁଛନ୍ତି, ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆଗାମୀ ୬ ମାସ ଏଭଳି ଆପଣ ବାଚାଳାମୀ ଜାରି ରଖନ୍ତି ତେବେ ରାଜ୍ୟ ବିଜେପିର ଆସନ ସଂଖ୍ୟା ବିଧାନସଭାରେ ୨୨ ରୁ ୨କୁ ଖସିଆସିବାଟା ଏକ ପ୍ରକାର ନିଶ୍ଚିତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।