ନିବେଶ ୮୦୦୦ କୋଟି, ନିଯୁକ୍ତି ୫୦୦୦: ହିଣ୍ଡାଲକୋ ସହ ଓଏମସି ର ଚୁକ୍ତି ସ୍ୱାକ୍ଷରିତ

ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଛି

ଓଡ଼ିଶାକୁ ବ୍ୟବସାୟ ଓ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିର ବିକାଶର ଉଦାହରଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ଅକ୍ଟୋବର ୫, ୨୦୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାୟଗଡ଼ା ଜିଲ୍ଲା କଂସାରୀଗୁଡାଠାରେ ଓଡ଼ିଶା ଖଣି ନିଗମ ଏହାର ପ୍ରକଳ୍ପ ପାଇଁ ଦୀର୍ଘମିଆଦୀ କଞ୍ଚାମାଲ ସଂଯୋଗ ପାଇଁ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି।   ଓଏମସି ଏମଡି ବଲୱନ୍ତ ସିଂ ଏବଂ ହିଣ୍ଡାଲକୋର ଏମଡି ସତୀଶ ପାଇ ନିଜ ନିଜ ସଂଗଠନ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।  ଏହି ଚୁକ୍ତି ଦ୍ୱାରା ରାୟଗଡ଼ାରେ ୨ନିୟୁତ ଟନ୍ ଆଲୁମିନା ବିଶୋଧନାଗାର କାମ ସହଜ ଓ ତ୍ୱରାନ୍ୱିତ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ବିକାଶଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଓଡ଼ିଶା ପୂର୍ବର ଏକ ଶିଳ୍ପ କେନ୍ଦ୍ର ରେ ପରିଣତ ହେବାକୁ ଯାଉଛି ଏବଂ ଏହା କେବଳ ଆମର ଅଭିଳାଷ ନୁହେଁ ବରଂ ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହି ରୋମାଞ୍ଚକର ଯାତ୍ରାରେ ସାମିଲ ହେବାକୁ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ। ତା’ପରେ ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ, ଆସନ୍ତୁ ଏକ ଭବିଷ୍ୟତ ସୃଷ୍ଟି କରିବା ଯେଉଁଠାରେ ବ୍ୟବସାୟ ଓ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ଏକାସାଙ୍ଗରେ ଚାଲିବ ଏବଂ ଓଡ଼ିଶା ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିବ।

ଖୁବଶୀଘ୍ର କାମ ଆରମ୍ଭ ହୋଇ ସ୍ଥାନୀୟ ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ସେ ରାୟଗଡ଼ାବାସୀଙ୍କୁ ନିବେଦନ କରିଛନ୍ତି।

ଜୁନ୍ ୨୦୨୩ରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ସରକାର ଓଡ଼ିଶା ଖଣି ନିଗମ ଲିମିଟେଡ୍ ଜରିଆରେ ଶିଳ୍ପ ପାଇଁ ଖଣିଜ ପଦାର୍ଥର ଏକ ନୂତନ ଦୀର୍ଘମିଆଦୀ ଲିଙ୍କେଜ୍ ପଲିସି ପ୍ରଣୟନ କରିଥିଲେ। ଏହି ନୀତି ଏକ ପରିବେଶ ସୃଷ୍ଟି କରିବା ପାଇଁ ଏକ ପ୍ରତିବଦ୍ଧତା ଥିଲା ଯେଉଁଠାରେ ଶିଳ୍ପଗୁଡିକ ରାଜ୍ୟର ସାମାଜିକ-ଅର୍ଥନୈତିକ ଢାଞ୍ଚାରେ ଉନ୍ନତି, ଉଦ୍ଭାବନ ଏବଂ ଯୋଗଦାନ କରିପାରିବେ । ଏହି ବୁଝାମଣାପତ୍ର ଓଡ଼ିଶାକୁ ଶିଳ୍ପ ପୁଞ୍ଜିନିବେଶ ପାଇଁ ଏକ ଚୁମ୍ବକ ରେ ପରିଣତ କରିବା ପାଇଁ ଆମର ଅତୁଟ ସମର୍ପଣର ଉଦାହରଣ ବୋଲି ସେ କହିଛନ୍ତି।

କଂଶାରୀଗୁଡାସ୍ଥିତ ଆଦିତ୍ୟ ଆଲୁମିନିୟମ ଲିମିଟେଡର ଆଲୁମିନା ରିଫାଇନାରୀ ଏକ ସବୁଜ କ୍ଷେତ୍ର ପ୍ରକଳ୍ପ ଯାହା ୮ ହଜାର କୋଟି ଟଙ୍କା ବିନିଯୋଗରେ ଆସୁଛି । ଏହି ପ୍ରକଳ୍ପ ଦ୍ୱାରା ଏକ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ଓ ୪ ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ହେଉଛି ଶିଳ୍ପର ପରିବର୍ତ୍ତନଶୀଳ ଶକ୍ତି । ଓଡ଼ିଶାର ସାମର୍ଥ୍ୟ ଉପରେ ବିଶ୍ୱାସ କରିବା ସହ ଏହି ଯାତ୍ରାରେ ଆମ ସହ ଭାଗିଦାରୀ କରିଥିବାରୁ ସେ ଆଦିତ୍ୟ ବିର୍ଲା ଗ୍ରୁପ୍ କୁ ଧନ୍ୟବାଦ ଜଣାଇଛନ୍ତି।

ଶିଳ୍ପ ଓ ଏମ୍ ଏସ୍ ଏମ୍ ଇ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଛନ୍ତି ଯେ ଶିଳ୍ପ ପାଇଁ ଲୋକଙ୍କ ଭାଗିଦାରୀ ଜରୁରୀ।  ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ ରେ ଓଡ଼ିଶା ଖଣି ସମୃଦ୍ଧ ଅଞ୍ଚଳର ଆଦିବାସୀଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଶିଳ୍ପାୟନରେ ଅନ୍ତର୍ଭୁକ୍ତୀକରଣ ନିହାତି ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଭର୍ଚୁଆଲ ପ୍ଲାଟଫର୍ମରେ ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବରେ ଯୋଗଦେଇ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ ବିର୍ଲା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ହେଉଛି ।  ଅନେକ ଦଶନ୍ଧିର ବିକାଶ ମାଧ୍ୟମରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଓଡ଼ିଶା-ହିଣ୍ଡାଲ୍କୋ ଭାଗିଦାରୀ ଏକ ସହଜ ସଫଳତାର କାହାଣୀ ଯାହା ସାମଗ୍ରିକ ବିକାଶ ପାଇଁ ଏକ ଉଦାହରଣ । ଉତ୍କଳ ଆଲୁମିନା କାରଖାନା ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବା ସହ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଗ୍ରାମର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦ୍ୱିତୀୟ ବିଶୋଧନାଗାର ସମାନ ବିକାଶ ମଡେଲ ଅନୁସରଣ କରିବ, ଜୀବିକାରେ ଅଧିକ ସୁଯୋଗ ସୃଷ୍ଟି କରିବ ଏବଂ ଅଧିକ ସାମାଜିକ-ଅର୍ଥନୈତିକ ବିକାଶ କରିବ । ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ।

ଶିଳ୍ପ ବିଭାଗପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଡ୍ କୋର ଏମ୍ ଡି ଧନ୍ୟବାଦ ଅର୍ପଣ କରିଥିଲେ।

ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜ୍ୟ ସରକାର ଓ ହିଣ୍ଡାଲକୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ କଂସାରୀଗୁଡାବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।