ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଜଡ଼ିତ ରୁହନ୍ତୁ, ଆଗକୁ ବଢନ୍ତୁ: ମୁଖ୍ୟମନ୍ତ୍ରୀ

ବିପିୟୁଟି ଟେକ୍ କାର୍ନିଭାଲ-୨୦୨୩ ଉଦଘାଟିତ ହେବା ସହ ମୁଖ୍ୟମନ୍ତ୍ରୀ ୱେବ୍ ପୋର୍ଟାଲ ଏବଂ ଏକ ପୋଷ୍ଟରକୁ ଉଦଘାଟନ କରିଥିଲେ।

ବିପିୟୁଟି ଟେକ୍ କାର୍ନିଭାଲ-୨୦୨୩ ଉଦଘାଟିତ

ଭୁବନେଶ୍ଵର,୦୫/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଇଏମଏମଟି ଅଡିଟୋରିୟମରେ ବିପିୟୁଟି ଟେକ୍ କାର୍ନିଭାଲ୍-୨୦୨୩କୁ ଉଦଘାଟନ କରିଛନ୍ତି।

ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜି ହେଉଛି ଆମ ଭବିଷ୍ୟତର କେନ୍ଦ୍ରବିନ୍ଦୁ। ଆମର ଅଭିବୃଦ୍ଧି, ଆମର କଲ୍ୟାଣ; ସବୁକିଛି ଉନ୍ନତ ଏବଂ ଉଦୀୟମାନ ଜ୍ଞାନକୌଶଳ ଉପରେ ଆମର ଦଖଲ ଉପରେ ନିର୍ଭର କରେ। ତେଣୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ନିଜକୁ ନିୟୋଜିତ ରଖିବା ସହ ଆଗକୁ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆମ ଦେଶର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ। ଏହା ଅନେକ ଉଜ୍ଜ୍ୱଳ ଟେକ୍ନୋକ୍ରାଟ୍ ସୃଷ୍ଟି କରିଛି ଯାହା ରାଜ୍ୟ ଏବଂ ଦେଶର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥାଏ। ଯୁବପିଢ଼ିଙ୍କୁ ଦକ୍ଷ କରିବା, ସେମାନଙ୍କୁ ରୋଜଗାରକ୍ଷମ କରିବା ଏବଂ ଓଡ଼ିଶାକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା ଦିଗରେ ଓଡ଼ିଶା ଅନେକ ଅଗ୍ରଗତି କରିଛି ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ପ୍ରମୁଖ ଅନୁଷ୍ଠାନ ଯାହା ବିଭିନ୍ନ ଟ୍ରେଡରେ ଉନ୍ନତ ଦକ୍ଷତା ତାଲିମ ପ୍ରଦାନ କରେ। ଆମ ପିଲାମାନଙ୍କୁ ବିଶ୍ୱସ୍ତରରେ ରୋଜଗାରକ୍ଷମ କରିବା ରେ ଆମର ପ୍ରୟାସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି ।
ବିପିୟୁଟି ଟେକ୍ କାର୍ନିଭାଲ: ୨୦୨୩ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୈଷୟିକ, ସାଂସ୍କୃତିକ ଏବଂ କ୍ରୀଡ଼ା କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବା ପାଇଁ ଏହା ପରିକଳ୍ପନା କରାଯାଇଛି। ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ, ଆନ୍ତରିକତା ଓ ନିଷ୍ଠାକୁ ପ୍ରଶଂସା କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ହେବ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ୱେବ୍ ପୋର୍ଟାଲ ଏବଂ ଏକ ପୋଷ୍ଟରକୁ ଉଦଘାଟନ କରିଥିଲେ।

ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘରାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ଏବେ ବୈଷୟିକ ଶିକ୍ଷାର କେନ୍ଦ୍ରପାଲଟିଛି। ରାଜ୍ୟରେ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ବୈଷୟିକ ଶିକ୍ଷା ପାଉଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ଛାତ୍ରଛାତ୍ରୀ ଏଠାକୁ ପାଠ ପଢ଼ିବାକୁ ଆସୁଛନ୍ତି। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ। ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ରେଜିଷ୍ଟ୍ରାର ନିଶି ପୁନମ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।