ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ପୁରୁଷ ହକି ଦଳକୁ ନଗଦ ପୁରସ୍କାର ଘୋଷଣା କଲେ ନବୀନ

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ନବୀନ।

ଖେଳାଳିଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ହାଙ୍ଗଝୋରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ ପାଇଁ ଭାରତୀୟ ପୁରୁଷ ହକି ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେତା ଦଳର ପ୍ରତ୍ୟେକ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି।

ପଦକ ସମାରୋହ ପରେ ମୁଖ୍ୟମନ୍ତ୍ରୀ ଭିଡିଓ କଲ୍ ଜରିଆରେ ଭାରତୀୟ ଦଳ ସହ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ବ୍ୟକ୍ତିଗତ ଅଭିନନ୍ଦନ ପାଇ ଟିମ୍ ବେଶ ଉତ୍ସାହିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିଜୟୀ ଭାରତୀୟ ପୁରୁଷ ହକି ଦଳକୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସେମାନଙ୍କର ଅତୁଟ ସମର୍ପଣ ଏବଂ କଠିନ ପରିଶ୍ରମ ପୁଣି ଥରେ ପ୍ରମାଣିତ କରିଛି ଯେ ହକି ପ୍ରକୃତରେ ଭାରତର ଖେଳ, ଯାହା ଆମ ଦେଶର ଅଦମ୍ୟ ମନୋବଳକୁ ପ୍ରତିଫଳିତ କରୁଛି। ହକି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥିବା ଓଡ଼ିଶାରେ ଏହି ଐତିହାସିକ ଦିନଟି ଆମ ପ୍ରିୟ କ୍ରୀଡ଼ା ଓ ଦେଶ ପାଇଁ ଏକ ସ୍ମରଣୀୟ ବିଜୟ ଭାବେ ଆମ ସ୍ମୃତିରେ ଚିରସ୍ମରଣୀୟ ହୋଇ ରହିବ। ଆସନ୍ତା ବର୍ଷ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ପାଇଁ ଭାରତୀୟ ଦଳ ପ୍ରସ୍ତୁତି କରୁଥିବାରୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ସେମାନେ ପୂରା ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ଭଳି ଖେଳି ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ।

କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣା ମଧ୍ୟ ଏହି ଅବସରରେ ଉପସ୍ଥିତ ରହି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ।

ଭାରତର ଏହି ବିଜୟ ଫଳରେ ଏହି ପ୍ରତିଯୋଗିତାରେ ଶୀର୍ଷରେ ରହିବା ପାଇଁ ଦୀର୍ଘ ୯ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୧୪ରେ ଭାରତ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଓଡ଼ିଶା ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ଏବଂ ଦୁଇଟି ବିଶ୍ୱକପ୍ ସମେତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଦଳଗୁଡ଼ିକୁ ସମର୍ଥନ କରିଆସୁଛି।