ଅମିତ ରୋହିଦାସଙ୍କୁ ୧.୫ କୋଟିର ପୁରସ୍କାର ରାଶି

ହକି ତାରକା ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।

ଦୀପଗ୍ରେସ୍ ଏକ୍କାଙ୍କୁ ୫୦ ଲକ୍ଷର ପୁରସ୍କାର

ଭୁବନେଶ୍ଵର, ୧୧,୧୦,୨୦୨୩: ନିକଟରେ ଶେଷ ହୋଇଥିବା ହାଙ୍ଗଜୋ ଏସୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ହକି ଖେଳାଳି ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅମିତ ରୋହିଦାସଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଦୀପଗ୍ରେସ୍ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଏହି ଦୁଇ ଖେଳାଳି ଭାରତୀୟ ହକି ଦଳର ସଦସ୍ୟ ଥିଲେ। ପୁରୁଷ ଦଳ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ୨ଓ୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମହିଳା ଦଳ କାଂସ୍ୟ ପଦକ ହାସଲ କରିଥିଲା।

ନିଜର ନିଷ୍ଠା, କଠିନ ପରିଶ୍ରମ ଓ ଅସାଧାରଣ ପ୍ରତିଭା ବଳରେ ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି ଦୁଇ ଶ୍ରେଷ୍ଠ ଖେଳାଳିଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଗର୍ବ ପ୍ରକାଶ କରିଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ରହି ଉଭୟ ଖେଳାଳିଙ୍କ ପ୍ରତିବଦ୍ଧତା ଓ ଦେଶ ପାଇଁ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ।

ବିଶିଷ୍ଟ ହକି ଖେଳାଳି ଅମିତ ରୋହିଦାସ କ୍ରମାଗତ ଭାବେ ପଡ଼ିଆରେ ଉଦାହରଣୀୟ ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ପୁରୁଷ ହକି ଦଳର ବିଜୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଅମିତଙ୍କ ଚମତ୍କାର ପ୍ରଦର୍ଶନ ତାଙ୍କୁ ସାରା ଦେଶରେ ବିଶେଷ କରି ଓଡ଼ିଶାର ହକି ମହଲ ସୁନ୍ଦରଗଡ଼ର ଆଶାୟୀ ଖେଳାଳିଙ୍କ ପାଇଁ ଆଦର୍ଶ ପାଲଟିଛି।

ମହିଳା ହକି ଜଗତର ଷ୍ଟାର ଦୀପ ଗ୍ରେସ୍ ଏକ୍କା ମଧ୍ୟ ରାଜ୍ୟର ଯୁବ ମହିଳା ଖେଳାଳିଙ୍କ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଡିଫେନ୍ସରେ ତାଙ୍କର କ୍ରମାଗତ ଉତ୍କର୍ଷତା ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଉଭୟ ଅମିତ ରୋହିଦାସ ଓ ଦୀପ ଗ୍ରେସ୍ ଏକ୍କା ଏହି ସମ୍ମାନ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ନିଜ କ୍ରୀଡ଼ା ସଫଳତା ମାଧ୍ୟମରେ ଓଡ଼ିଶା ଓ ଦେଶ ପାଇଁ ଅଧିକ ଗୌରବ ଆଣିବା ପାଇଁ କଠିନ ପରିଶ୍ରମ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ।