ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଗତ ଜୁନ ମାସରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ଖୋଲା ହେଇଛି।

ଏସଟିଆର ଜାରି କଲା ଗାଇଡଲାଇନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍ଟିଆର) ଗତ ଜୁନ୍ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ବେଳେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବର୍ଷାଦିନେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ରାସ୍ତା ଧୋଇ ଯାଇଥିବାରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ବନ୍ଦ ରହିଥିଲା।

ପର୍ଯ୍ୟଟକମାନେ ସକାଳ ୬ଟାରୁ ୯ଟା ମଧ୍ୟରେ କାଳିଆଣୀ ଓ ପିଠାବାଟା ନାମକ ଦୁଇଟି ଗେଟ୍ ଦେଇ ଏସ୍ଟିଆର୍ ରେ ପ୍ରବେଶ କରିପାରିବେ ଏବଂ ଅପରାହ୍ନ ୩ଟା ସୁଦ୍ଧା ବରେହିପାଣି ଓ ଜରାଣ୍ଡା ଗେଟ୍ ଏବଂ ଅପରାହ୍ନ ୪ଟା ସୁଦ୍ଧା ଚହଲା ଗେଟ୍ ଦେଇ ବାହାରିବାକୁ ପଡ଼ିବ। ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପର୍ଯ୍ୟଟକଙ୍କୁ ପାର୍କ ଛାଡ଼ିବାକୁ ପଡ଼ିବ ବୋଲି ଏସ୍ଟିଆର୍ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି। ଏହା ସହ ଆହୁରି ମଧ୍ୟ କୁହାଯାଇଛି ଯେ, ଜାତୀୟ ଉଦ୍ୟାନ ପରିସରରେ ରୋଷେଇ ଉପରେ କଟକଣା ଲଗାଯାଇଛି। କିନ୍ତୁ ପର୍ଯ୍ୟଟକମାନେ ନିଜ ସହ ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ପାତ୍ରରେ ନେଇପାରିବେ।