ରାଜ୍ୟର ସଂପ୍ରସାରଣ ଭିତ୍ତିଭୂମି ପାଇଁ ଓପିଟିସିଏଲ୍ ଭୂମିକା ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଓପିଟିସିଏଲ୍ ଟେକ୍ ଟାୱାର ଉଦ୍ ଘାଟନ କଲେ ମୁଖ୍ୟମନ୍ତ୍ରୀ

୫୫ କୋଟିରେ ନିର୍ମିତ ହେଲା କର୍ପୋରେଟ୍ ଅଫିସ

ଭୁବନେଶ୍ଵର,18.10.2023: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାରକୁ ଉଦ୍ ଘାଟନ କରିଛନ୍ତି। ୫୫ କୋଟି ଟଙ୍କାର ଏହି ବହୁମହଲା କୋଠା ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡର କର୍ପୋରେଟ୍ ଅଫିସ ଭାବେ କାର୍ଯ୍ୟ କରିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ଷେତ୍ରର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଆଧୁନିକ ସ୍ଥାପତ୍ୟ ଏବଂ ଜ୍ଞାନକୌଶଳରେ ଏହି କୋଠା ନିର୍ମାଣ କରାଯାଇଛି ଏବଂ କୋଠାଟି ଏକ ଶକ୍ତି-ଦକ୍ଷ କୋଠା ଅଟେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ ଓଡ଼ିଶାବାସୀଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ନିୟୋଜିତ ରହିଛି ଏବଂ ବିଦ୍ୟୁତ ୍ କ୍ଷେତ୍ରର ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସଂପ୍ରସାରଣ ଭିତ୍ତିଭୂମିରେ ଓପିଟିସିଏଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

୨୦୦୦ମସିହାରେ ରାଜ୍ୟରେ ୧୬ ଲକ୍ଷ ଉପଭୋକ୍ତା ଥିବା ବେଳେ ଏବେ ଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ମାତ୍ର ୮୦ଟି ଗ୍ରିଡ୍ ଥିବା ବେଳେ ଆଜି ୧୯୪ଟି ଗ୍ରିଡ୍ ସବ୍ଷ୍ଟେସନ୍ କାର୍ଯ୍ୟ କରୁଛି। ରୂପାନ୍ତରଣ କ୍ଷମତା ୬,୧୨୫ ଏମଭିଏରୁ ୨୫,୮୦୦ ଏମଭିଏ ଏବଂ ଟ୍ରାନ୍ସମିସନ ଲାଇନ ୯୪୦୦ ସର୍କିଟ କିଲୋମିଟରରୁ ୧୬,୩୦୦ ସର୍କିଟ କିଲୋମିଟରକୁ ବୃଦ୍ଧି ପାଇଛି । ଓପିଟିସିଏଲ୍ ବିଦ୍ୟୁତ ୍ ସଂପ୍ରସାରଣ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ରାଜ୍ୟର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାହ2ୟକ ସୁଶାନ୍ତ କୁମାର ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ୍ ସିଏମ୍ଡି ସଞ୍ଜୟ କୁମାର ମିଶ୍ର, ଓପିଟିସିଏଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।