ପାର୍ବଣ ପାଇଁ ୩୧ ପ୍ଲାଟୁନ ଫୋର୍ସ ମୁତୟନ

ପାର୍ବଣ ସମୟରେ ଭୁବନେଶ୍ୱରରେ ମୋଟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ।

ସହରକୁ ଜଗିବ ସିସିଟିଭି

ଭୁବନେଶ୍ୱର: ରାଜଧାନୀରେ ୧୧୮ଟି ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଅକ୍ଟୋବର ୨୦ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ୬ ଦିନ ଧରି ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଏଥିରେ ଅତିରିକ୍ତ ଡେପୁଟି ପୁଲିସ କମିସନର ପାହ୍ୟାର ୧୨ ଜଣ ଅଧିକାରୀ, ୨୩ ଜଣ ସହକାରୀ ପୁଲିସ କମିଶନର (ଏସିପି), ୪୧ ଜଣ ଇନ୍ସପେକ୍ଟର, ୧୫୧ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଏଏସ୍ଆଇ), ୧୧୯ ଜଣ ଟ୍ରାଫିକ୍ କନେଷ୍ଟବଳ, ୭୦ ଜଣ ସଶସ୍ତ୍ର ପୁଲିସ ରିଜର୍ଭ (ଏପିଆର) କନେଷ୍ଟବଳ ଏବଂ ୨୦୭ ଜଣ ଓଡ଼ିଶା ସଶସ୍ତ୍ର ପୁଲିସ ଫୋର୍ସ (ଓଏପିଏଫ୍) କନେଷ୍ଟବଳଙ୍କୁ ନେଇ ଏକ ବିସ୍ତୃତ ଟିମ୍ ମୁତୟନ କରାଯାଇଛି। ଏହାବ୍ୟତୀତ ସହରର ପ୍ରମୁଖ ସ୍ଥାନରେ ସିସିଟିଭି ଲାଗିବ।

ଦୁର୍ଗାପୂଜା ପାଳନ ସମୟରେ ସୁରକ୍ଷା ଯାଞ୍ଚ ଓ ଟ୍ରାଫିକ କଟକଣା ବଢ଼ାଇବା ସହ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ସହର ଭିତରେ ଥିବା ମୁଖ୍ୟ ରାସ୍ତାରେ ଭାରୀ ଯାନଚଳାଚଳ ଉପରେ କଟକଣା ଲଗାଯିବ। ସୁରକ୍ଷା ତଦାରଖ ପାଇଁ ୬ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ଡିସିପି ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।