ଫିଡେ ମ୍ୟାନେଜମେଣ୍ଟ ବୋର୍ଡ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଚେସ୍ ର ବିକାଶ ପାଇଁ ସହଯୋଗ ଓ ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି

ଚେସ୍ ବିକାଶ ସମ୍ବନ୍ଧରେ ଆଲୋଚନା

ଭୁବନେଶ୍ଵର, ୨୫.୧୦.୨୦୨୩: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ଫଳପ୍ରଦ ଆଲୋଚନାରେ ନିୟୋଜିତ ହେବା ସହ ଯୁବ ଚେସ୍ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ରିଜନିସ୍-ଓଜୋଲା ଚେସ୍କୁ ଏକ ମାନସିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ପ୍ରଚୁର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ସମର୍ଥନ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଫିଡେ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ।

ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ଜଣାଶୁଣା ଶ୍ରୀମତୀ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।