ଜାନୁଆରି ପହିଲାରେ ମେଟ୍ରୋ ରେଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍

କଟକ-ଭୁବନେଶ୍ବର ପାଇଁ ତ୍ରିଶୂଳିଆ ପରିବହନର ମୁଖ୍ୟ ହବ ହେବ

ଭୁବନେଶ୍ବର,୨୯.୧୦.୨୦୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ଭୋର୍ 4.30ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ।

ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆକୁ ଭାୟା ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀ ବିହାର, ମାଷ୍ଟର କ୍ୟାଣ୍ଟିନ୍ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ।

ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୦୨୩ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ ଡିପିଆର ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି।ଭୁବନେଶ୍ଵରରୁ ଖୋର୍ଦ୍ଧା, ପୁରୀ ଓ କଟକ ସହରରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଜରିଆରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଚଳିତ ବର୍ଷ ଏପ୍ରିଲ୍ ପହିଲାରେ ଘୋଷଣା କରିଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ ମଧ୍ଯ ସରକାର ଅନୁମୋଦନ କରିଛନ୍ତି।

ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵର ର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୁଳିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଠିଆ ହେବ।

ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ଟ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟେବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୂଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ।

ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସି ମାନଙ୍କ କାମର ଅଗ୍ରଗତିରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭିତ୍ତିଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ୨୦୨୪ ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ।

ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ ୫-ଟି ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଏକ ଆକାଂକ୍ଷି ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ଏକ ବିଶ୍ବ ସ୍ତରୀୟ ସହରାଞ୍ଚଳ ଗମନା ଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ଯେପରି ସଫଳ ହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପ ରେ ସଦ୍ୟତମ ଟେକ୍ନୋଲୋଜିର ପ୍ରୟୋଗ ସହିତ ଅତ୍ୟାଧୁନିକ ଉପକରଣର ବ୍ୟବହାର ପାଇଁ ଶ୍ରୀ ପଣ୍ଡିଆନ ପରାମର୍ଶ ଦେଇଥିଲେ।

ଯାତ୍ରୀ ମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯିବଆସିବା କରି ପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ଯେପରି ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ, ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ କହିଁଥିଲେ।

ଶ୍ରୀ ପଣ୍ଡିଆନ ମଧ୍ୟ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେଇଥିଲେ ଓ ପରିଷ୍କାର ପରିଚ୍ଛନ୍ନତା ପରଖି ଥିଲେ। ସେ ଯାତ୍ରୀ ମାନଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ, ବସ ଅପରେଟର, ଓ ଅନ୍ୟ ଷ୍ଟାଫ ମାନଙ୍କ ସହ କଥା ବାର୍ତ୍ତା ହୋଇ ଅଧିକାରୀ ମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯାତ୍ରୀମାନେ ଆହୁରି ଆରାମ ଦାୟକ ଯାତ୍ରା କରିବା ସହିତ ଭଲ ଅନୁଭବ ନେଇ ଯିବେ ବୋଲି ସେ କହିଥିଲେ।

ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କେନାଲ କଡେ କଡେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା କଟକ ସହର ବାସିଙ୍କ ପାଇଁ ଉତ୍ତମ ମନୋରଞ୍ଜନ ବ୍ୟବସ୍ଥାର ବିକାଶ ହୋଇ ପାରିବ।

ଶ୍ରୀ ପଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ତଥା ଆଇ. ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ, ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ ।