ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ଦେହାନ୍ତ
ମୃତ ଅବସ୍ଥାରେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ ବୋଲି କ୍ୟାପିଟାଲ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଧନଞ୍ଜୟ ଦାଶ କହିଛନ୍ତି।
ଅନ୍ତିମ ସଂସ୍କାର ପୂର୍ବରୁ ଦିଆଯିବ ଗାର୍ଡ ଅଫ୍ ଅନର
ଭୁବନେଶ୍ୱର, ୨୨/୧୨: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟ ମହାନ୍ତିଙ୍କର ପରଲୋକ ଘଟିଛି। ୬୦ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ସେ ବିଧାୟକ ଗେଷ୍ଟ ହାଉସରେ ଥିବା ବେଳେ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
“ସେ ମୃତ ଅବସ୍ଥାରେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ପ୍ରଥମେ ତାଙ୍କର ଶାରୀରିକ ପରୀକ୍ଷା କରିବା ସହ ଇସିଜି କରାଯାଇଥିଲା। ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତଦେହ ମିଳିବା ସମ୍ପର୍କରେ ଆମେ ପୁଲିସକୁ ଜଣାଇବୁ। ପ୍ରୋଟୋକଲ ଅନୁଯାୟୀ ଶବ ବ୍ୟବଚ୍ଛେଦ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଧନଞ୍ଜୟ ଦାଶ କହିଛନ୍ତି।
ଶ୍ରୀ ମହାନ୍ତିଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭାକୁ ନିଆଯିବ, ସେଠାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଏହା ପରେ ଅନ୍ତିମ ସଂସ୍କାର ପାଇଁ ନିଆଯିବ ବୋଲି ବିଧାୟକ ବାବୁ ସିଂହ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତି ଗତ କିଛି ବର୍ଷ ହେବ ହୃଦ୍ ରୋଗରେ ପୀଡ଼ିତ ଥିଲେ। ଶ୍ରୀ ମହାନ୍ତି ୨୦୦୯ ଓ ୨୦୧୪ରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗ ରାଜନୈତିକ ମହଲରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି।