ଭୁବନେଶ୍ୱର, ୨୧/୧୨: ଭଦ୍ରକରେ ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ ସହଯୋଗରେ ଏକ ବୟନ ପାର୍କ ପ୍ରତିଷ୍ଠା କରିବ ଆଇଓସିଏଲ। ଏ ନେଇ ୪୩୮୨ କୋଟି ଟଙ୍କା ମଞ୍ଜୁର କରିଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବୟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ।
ଏ ନେଇ ମୁଖ୍ୟମନ୍ତ୍ରୀ ଏକ୍ସରେ ସରକାର ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ନିମନ୍ତେ ପୁଞ୍ଜି ନିବେଶ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରୁଥିବାରୁ ଆଇଓସିଏଲକୁ ଧନ୍ୟବାଦ ଜଣାଇଛନ୍ତି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ୍ସରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଶିଳ୍ପ ସମୃଦ୍ଧ ହେଉଛି ରାଜ୍ୟ ଓ ଦେଶ। ଆଇଓସିଏଲ ଓ ଏମପିସିଆଇ ସହଭାଗିତାରେ ଧାମନଗର ଛକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ। ଏଥିନିମନ୍ତେ ୪୩୮୨ କୋଟି ଟଙ୍କା ମଞ୍ଜୁର ହୋଇଛି। ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ସମ୍ମାନନୀୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ପ୍ରସ୍ତାବିତ ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ରାଜ୍ୟ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ନିକଟ ଅତୀତରେ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭଦ୍ରକ ଜିଲ୍ଲା ଓ ସ୍ଥାନୀୟ ଯୁବଗୋଷ୍ଠୀ ଏହି ପ୍ରକଳ୍ପ ଦ୍ବାରା ବିଶେଷ ରୂପେ ଲାଭାନ୍ବିତ ହେବେ।”