୪୦ ଦିନର ଚିଲ୍ଲାଇ-କଲାନରେ ସବୁଠୁ ଥଣ୍ଡା ରାତି ଅନୁଭୂତ
୫୦ ବର୍ଷ ପରେ ରାତି ତାପମାତ୍ରା -୮.୫° ସେଲସିୟସ ରେକର୍ଡ
ଭାଙ୍ଗିଲା ୫୦ ବର୍ଷର ରେକର୍ଡ଼
ଭୁବନେଶ୍ୱର, ୨୨/୧୨: ଦେଶର ସବୁଠୁ ଥଣ୍ଡା ସ୍ଥାନ କାଶ୍ମୀର ଉପତ୍ୟକା। କାଶ୍ମୀର ଉପତ୍ୟକାରେ ୪୦ ଦିନ ଧରି ଲାଗି ରହୁଥିବା ହାଡ଼ ଭଙ୍ଗା ଶୀତକୁ କାଶ୍ମୀରୀ ଭାଷାରେ ଚିଲ୍ଲାଇ-କଲାନ ବୋଲି କୁହାଯାଏ।ଯଦିଓ ଶୀତ ଋତୁ ୭୦ ଦିନ ଲାଗି ରୁହେ, କିନ୍ତୁ ଏହି ୪୦ ଦିନରେ ଶୀତ ଅନୁଭୂତି ଅତି କଠିନ। ପ୍ରତିବର୍ଷ ଡିସେମ୍ବର ୨୧ରୁ ଜାନୁଆରୀ ୨୯ ପର୍ଯ୍ୟନ୍ତ ଏପରି ଶୀତ ଅନୁଭୂତ ହୁଏ।
ଚିଲ୍ଲାଇ-କଲାନ ପରେ ୨୦ ଦିନ ଧରି ଚିଲ୍ଲା-ଇ-ଖୁର୍ଦ୍ ପଡ଼ିଥାଏ। ଜାନୁଆରୀ ୩୦ରୁ ଫେବୃଆରୀ ୧୮ ମଧ୍ୟରେ ଏହି ଦିନରେ କମ୍ ଶୀତ ଅନୁଭୂତ ହୁଏ। ତେଣୁ ଏହି ୨୦ ଦିନକୁ ଚିଲ୍ଲାଇ-ଖୁର୍ଦ୍ କୁହାଯାଏ। ସେହିପରି ଏହା ପରେ ପଡୁଥିବା ୧୦ ଦିନର କମ୍ ଶୀତ ଦିନକୁ ଚିଲ୍ଲାଇ-ବଚ୍ଚା କୁହାଯାଏ। ଯାହା ଫେବ୍ରୁଆରି ୧୯ରୁ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ହୋଇଥାଏ।
କାଶ୍ମୀରରେ ଏହି ୪୦ ଦିନରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ। ସର୍ବନିମ୍ନ ତାପମାତ୍ରା ମାଇନସରେ ରହିଥାଏ। ଏହି ସମୟରେ ପ୍ରବଳ ତୁଷାରପାତ ହୋଇଥାଏ। ଚିଲ୍ଲାଇ-କଲାନ ପରେ ଏତେ ତୁଷାରପାତ ହୋଇନଥାଏ।
ଚଳିତ ଚିଲ୍ଲାଇ-କଲାନରେ ଶ୍ରୀନଗରରେ ସବୁଠୁ ଅଧିକ ଥଣ୍ଡା ରାତି ହୋଇଛି। ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ଡିସେମ୍ବର ୨୧ରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ଶ୍ରୀନଗରରେ ୫୦ ବର୍ଷ ମଧ୍ୟରେ ଡିସେମ୍ବର ୨୧ରେ ରାତି ତାପମାତ୍ରା ମାଇନସ୍ ୮.୫ ଡିଗ୍ରୀ ସେଲସିୟସ ରହିଥିଲା। ୧୯୭୪ ମସିହାରେ ପାରଦ ମାଇନସ୍ ୧୦.୩ ଡିଗ୍ରୀ ସେଲସିୟସ ରହିଥିଲା।
ଗୁଲମାର୍ଗରେ ମାଇନସ୍ ୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ପମ୍ପୋର ନିକଟସ୍ଥ କୋନିବାଲ ଗାଁ କାଶ୍ମୀର ଉପତ୍ୟକାର ସବୁଠାରୁ ଥଣ୍ଡା ସ୍ଥାନ ହୋଇଥିବା ବେଳେ ତାପମାତ୍ରା ମାଇନସ୍ ୧୦.୫ ଡିଗ୍ରୀ ସେଲସିୟସକୁ ଖସି ଆସିଛି। କାଜିଗୁଣ୍ଡରେ ମାଇନସ୍ ୮.୨ ଡିଗ୍ରୀ ସେଲସିୟସ, କୁପୱାଡାରେ ମାଇନସ ୭.୨ ଡିଗ୍ରୀ ସେଲସିୟସ ଏବଂ କୋକେରନାଗରେ ମାଇନସ ୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ୧୯୯୮ ପରଠାରୁ ଏହା କୁପଓ୍ଵାରାର ସବୁଠାରୁ ଥଣ୍ଡା ଡିସେମ୍ବର ରାତି ଥିଲା।
ପ୍ରବଳ ଥଣ୍ଡା ଯୋଗୁଁ ପ୍ରସିଦ୍ଧ ଡାଲ ହ୍ରଦ ସମେତ ଅନେକ ଜଳାଶୟ ବରଫରେ ପରିଣତ ହୋଇଛି। ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହେବା ସହ ବିଶେଷ କରି ଜଳ ଯୋଗାଣରେ ବାଧାପ୍ରାପ୍ତ ହୋଇଛି।