ଜାତୀୟ ସ୍ତରରେ ଚମକୁଛନ୍ତି ଓଡ଼ିଆ

ଜାତୀୟ କ୍ରୀଡ଼ା ୨୦୨୩ରେ ଓଡିଆ ଜିମ୍ନାଷ୍ଟିକ୍ ଟିମର ଦମଦାର ପ୍ରଦର୍ଶନ ଜାରି ରହିଛି।

ଜାତୀୟ କ୍ରୀଡ଼ାରେ ଜିମ୍ନାଷ୍ଟିକ୍ ଟିମର ଦମଦାର ପ୍ରଦର୍ଶନ

ଗୋଆ,୨୯.୧୦: ଜାତୀୟ ସ୍ତରରେ ଚମକୁଛନ୍ତି ଓଡ଼ିଆ ଜିମ୍ନାଷ୍ଟ। ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ା ୨୦୨୩ର ୩୭ତମ ସଂସ୍କରଣରେ ଓଡ଼ିଆ ଜିମ୍ନାଷ୍ଟ ପ୍ରଣତି ନାୟକ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି।

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବା ପଶ୍ଚିମବଙ୍ଗରେ ଜନ୍ମିତ ଏହି ଜିମ୍ନାଷ୍ଟ ମହିଳା ବିମ୍ ଇଭେଣ୍ଟରେ ଶୀର୍ଷରେ ରହି ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୮ ବର୍ଷୀୟା ପ୍ରଣତି ପୂର୍ବରୁ ଅଲରାଉଣ୍ଡ, ଭଲ୍ଟ ଏବଂ ଅସମାନ ବାର୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସେହିପରି ଓଡ଼ିଶାର ଆଉ ଜଣେ ଜିମ୍ନାଷ୍ଟ ତପନ ମହାନ୍ତି ଦ୍ବିତୀୟ ସ୍ଥାନରେ ରହି ଦୁଇ ଦିନ ମଧ୍ୟରେ ୨ଟି ରୌପ୍ୟ ପଦକ ଜିତି ଦମଦାର ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ଓଡ଼ିଶା ମହିଳା ଫୁଟବଲ ଦଳ ଚଣ୍ଡିଗଡ଼କୁ ୩-୦ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ବିଲିୟର୍ଡସରେ ଓଡ଼ିଶାର ସୁବ୍ରତ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।