ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଜିଲାନ୍ସର ଶ୍ରେଷ୍ଠ ପବ୍ଲିକ ପ୍ରସିକ୍ୟୁଟର ସମ୍ବର୍ଦ୍ଧିତ

ଲୋକସେବା ଭବନରେ ଭିଜିଲାନ୍ସ ସଚେତନତା ସପ୍ତାହ ଦିବସ ପାଳିତ ହୋଇଯାଇଛି।

ଭିଜିଲାନ୍ସ ସଚେତନତା ସପ୍ତାହ ଦିବସ ପାଳିତ

ଭୁବନେଶ୍ବର, ୩୦.୧୦: ଚଳିତ ବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ‘ସେ ନୋ ଟୁ କରପସନ, କମିଟ ଟୁ ଦି ନେସନ’ ଶୀର୍ଷକରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଉଛି।

ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି କ୍ରମେ ଓଡ଼ିଶାରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଆରମ୍ଭ ହୋଇଛି।

ଏକ ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଷ୍ଟେଟ୍ ୱାଇଡ୍ ନେଟୱାର୍କ (ଓଏସୱାନ୍) ଜରିଆରେ ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଅଧିକାରୀଙ୍କୁ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶାର ଜନସାଧାରଣ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ, ଆଶା କର୍ମୀ, ଏଡବ୍ଲ୍ୟୁଡବ୍ଲ୍ୟୁର ସିଧା ପ୍ରସାରଣ ମାଧ୍ୟମରେ ସଚ୍ଚୋଟତା ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

 

ଓଡ଼ିଶା ଭିଜିଲାନ୍ସ ଦେଶର ସର୍ବୋଚ୍ଚ ଦୁର୍ନୀତି ନିରୋଧୀ ଏଜେନ୍ସି ମାନଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବେନାମୀ କାରବାର, ମନି ଲଣ୍ଡରିଂ, ଡିଜିଟାଲ କାରବାର ମାଧ୍ୟମରେ ଦୁର୍ନୀତି, କ୍ରିପ୍ଟୋ-ମୁଦ୍ରା ଭଳି ନୂତନ ଆର୍ଥିକ ଉପକରଣରେ ପୁଞ୍ଜିନିବେଶର ପ୍ରଭାବଶାଳୀ ଚିହ୍ନଟ ପାଇଁ ଡୋମେନ୍ ବିଶେଷଜ୍ଞତା ଥିବା ଅଧିକ ପେସାଦାରଙ୍କୁ ନିୟୋଜିତ କରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ବହୁ-ଶୃଙ୍ଖଳାଗତ ଚରିତ୍ରର ସମ୍ପ୍ରସାରଣ ପାଇଁ ପଦକ୍ଷେପ ନେବାକୁ ସେ ଭିଜିଲାନ୍ସ ବିଭାଗକୁ ଅନୁରୋଧ କରିଥିଲେ। ଦୁର୍ନୀତି ବିରୋଧରେ ଲଢ଼େଇ କରି ଦୁର୍ନୀତିମୁକ୍ତ ଓ ନୂତନ ସଶକ୍ତ ଓଡ଼ିଶା ଗଠନ ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।

ବାଲେଶ୍ୱର ଓ ରାଉରକେଲାରେ କମ୍ପ୍ୟୁଟର ଭିତ୍ତିକ ଅନୁସନ୍ଧାନ ଓ ପ୍ରସିକ୍ୟୁସନ ମ୍ୟାନେଜମେଣ୍ଟ ସିଷ୍ଟମ ଏବଂ ଭିଜିଲାନ୍ସ ଡିଭିଜନ କାର୍ଯ୍ୟାଳୟ ନୂଆ କୋଠାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ ଘାଟନ କରିଛନ୍ତି।

ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ, ଶ୍ରେଷ୍ଠ ଭିଜିଲାନ୍ସ ୟୁନିଟ୍, ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ (ପୁରୁଷ ଓ ମହିଳା) ଏବଂ ୨୦୨୨ ବର୍ଷ ପାଇଁ ଭିଜିଲାନ୍ସର ଶ୍ରେଷ୍ଠ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ କେ ଜେଠୱା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର, କୌଶଲ ଧନ୍ୟବାଦ ଅର୍ପଣ କରିଥିଲେ।