୩ ନଦୀରେ ମାଛ ଧରିବାକୁ ୭ ମାସ ଯାଏ କଟକଣା

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟର ୩ଟି ନଦୀରେ ମାଛ ଧରିବାକୁ ୭ ମାସ ଯାଏ କଟକଣା ଲାଗୁ କରାଯାଇଛି।

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା ଲାଗୁ

ଭୁବନେଶ୍ବର, ୦୧/୧୧/୨୩: ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ନଭେମ୍ବର ପହିଲାରୁ ୩ଟି ନଦୀ ମୁହାଣ ଯଥା ଧାମରା, ଦେବୀ ଏବଂ ଋଷିକୁଲ୍ୟାରେ ମୋଟରଚାଳିତ ଯାନ, ଟ୍ରଲର ଏବଂ ଯାନ୍ତ୍ରିକ ମାଛ ଧରା କୌଶଳ ଦ୍ୱାରା ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମଙ୍ଗଳବାର ଓଡ଼ିଶା ମତ୍ସ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି କଟକଣା ୨୦୨୪ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ନିଷେଧାଦେଶ ଅବଧି ମଧ୍ୟରେ ନିଷିଦ୍ଧ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯିବ ଏବଂ ସମ୍ପୃକ୍ତ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏ ନେଇ ଏକ ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବେ। ନିଷେଧାଦେଶ ସମୟରେ ପାଟ୍ରୋଲିଂ ଉପରେ ନଜର ରଖିବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସମୁଦ୍ର ଉପକୂଳରୁ ୨୦ କିଲୋମିଟର ଅଞ୍ଚଳରେ ପ୍ରତିବର୍ଷ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବା ପାଇଁ ଏକାଠି ହେଉଥିବା ବେଳେ ଟ୍ରଲର, ମୋଟରଚାଳିତ ଯାନ ଏବଂ ଯାନ୍ତ୍ରିକ ମାଛ ଧରା ଉପରେ କଟକଣା ଲଗାଯାଇଛି।