ଓଡ଼ିଶାରେ ହେବ ପ୍ରଥମ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ

ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ।

ଯୋଗ ଦେବେ ଜାତୀୟ-ଅନ୍ତର୍ଜାତୀୟ ସ୍ତରର ଅଂଶୀଦାର

ଭୁବନେଶ୍ବର,୦୧.୧୧: ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ। ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶର ପ୍ରତିଯୋଗୀ। ଏ ନେଇ ଓଡ଼ିଶା ଦେଶର ପ୍ରଥମ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି। ଏ ନେଇ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଆଜି କୃଷି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ମିଲେଟ୍ – ଆଧୁନିକ ଚ୍ୟାଲେଞ୍ଜ ପାଇଁ ପ୍ରାଚୀନ ଶସ୍ୟ’। ଏହି ସମ୍ମିଳନୀ କୃଷି ଏବଂ ପୋଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିରେ କୃଷକ ନିୟୋଜନ କାର୍ଯ୍ୟକ୍ରମ, ଉଦୀୟମାନ ଜ୍ଞାନକୌଶଳ ଏବଂ ଯନ୍ତ୍ରପାତି ପ୍ରଦର୍ଶନ, ଅଭିଜ୍ଞତା କେନ୍ଦ୍ର, ବୈଷୟିକ ଅଧିବେଶନ, ନୀତି ରାଉଣ୍ଡଟେବୁଲ, ବି୨ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ, କୁଇଜ୍ ପ୍ରତିଯୋଗିତା, ରୋଷେଇ ପ୍ରତିଯୋଗିତା ଆଦି ରହିବ।

ବାଜରା ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଂଶୀଦାର ଅଂଶଗ୍ରହଣ କରିବେ, ଯାହାକି ପ୍ରମୁଖ ଆକର୍ଷଣ। ମିଳିତ ଜାତିସଂଘ ଏଜେନ୍ସି ଯଥା ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍ଏଓ), ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି), ଅନ୍ତର୍ଜାତୀୟ କୃଷି ବିକାଶ ପାଣ୍ଠି (ଆଇଏଫଏଡି), ଦକ୍ଷିଣ ପୂର୍ବ ଏସୀୟ ଏବଂ ମଧ୍ୟ ପ୍ରାଚ୍ୟ ଦେଶ, ଆଫ୍ରିକୀୟ ଦେଶ ଏବଂ ୟୁରୋପୀୟ ଦେଶର କୃଷି ପରାମର୍ଶଦାତା, ଅନେକ ଦେଶର ଦୂତାବାସ, ଏହି ଅଧିବେଶନରେ ବିଭିନ୍ନ ରାଜ୍ୟର କୃଷି ସଚିବ ଓ ଅନ୍ୟମାନେ ଯୋଗଦେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗଚୀ, କୃଷି ନିର୍ଦ୍ଦେଶକ ଓ ଏଫପି ଶ୍ରୀ. ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।