ପ୍ରଯୋଜକ ଟୁଟୁ ନାୟକ ଗିରଫ

ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ ସାମ୍ବାଦିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଲାଗିଛି ସଙ୍ଗୀନ ଦଫା

ଭୁବନେଶ୍ବର, ୦୪/୧୧/୨୩: ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ ଗିରଫ। ଜଣେ ମହିଳା ସାମ୍ବାଦିକାଙ୍କୁ ଥିଏଟରରେ ଅସଦାଚରଣ ଓ ମାଡ ମାରିବା ଘଟଣାରେ ଗିରଫ ହୋଇଛନ୍ତି ଟୁଟୁ। ମହିଳା ସାମ୍ବାଦିକଙ୍କ ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ଗିରଫ କରିଛି।

ଟୁଟୁଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି। ଆଇପିସିର ଧାରା ୩୫୪ (ମହିଳାଙ୍କୁ ଅସଦାଚରଣ), ୨୯୪(ଅଶାଳୀନ ମନ୍ତବ୍ୟ ପ୍ରୟୋଗ), ୩୨୩(ଶରୀରକୁ ଆଘାତ ଦେବା) ଓ ୩୪୧(ଭୁଲ୍ ପ୍ରତିରୋଧ ପାଇଁ ଦଣ୍ଡ) ଅନୁଯାୟୀ ଟୁଟୁଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଧାରା ୧୬୧ ଅନୁଯାୟୀ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ଼ କରାଯାଇଛି। ସିସିଟିଭି ଫୁଟେଜ ଓ ସାକ୍ଷୀଙ୍କ ବୟାନକୁ ଆଧାରରେ ନିଆଯାଇ ଏବଂ ତାଙ୍କ ବିରୋଧରେ ସମସ୍ତ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି। ଖାରବେଳ ନଗର ଥାନାରେ ପଚରାଉଚରା ପରେ ଟୁଟୁଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଯାହା କହିଛନ୍ତି ସେ ସବୁ କୋର୍ଟକୁ ଜଣାଇବୁ। ଖୁବଶୀଘ୍ର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖାରବେଳନଗର ଥାନା ଆଇଆଇସି କହିଛନ୍ତି।

ସାମ୍ବାଦିକାଙ୍କ ଅଭିଯୋଗ ଅନୁସାରେ, ସେ ଥିଏଟରରେ ଜଣେ ଅଭିନେତ୍ରୀଙ୍କ ସାକ୍ଷାତକାର ନେବାକୁ ଯାଇଥିବା ବେଳେ ଟୁଟୁ ତାଙ୍କୁ ପଛପଟୁ ଠେଲି ଦେଇ ଚାପୁଡ଼ା ମାରିଥିଲେ ଏବଂ ତାପରେ ସେ ଧକ୍କା ଦେବାରୁ ତାଙ୍କ ମୋବାଇଲ୍ ଫୋନ୍ ଏବଂ ମାଇକ୍ରୋଫୋନ୍ ତଳେ ପଡି ଯାଇଥିଲା।