ମନୋରଞ୍ଜନ ମିଶ୍ର ଆରବିଆଇର ନୂଆ ଇଡି

ଓଡିଶାର ମନୋରଞ୍ଜନ ମିଶ୍ରଙ୍କୁ ଆରବିଆଇର ନୂଆ ଇଡି ଭାବେ ନିଯୁକ୍ତି ଦିଆଯାଇଛି।

ପୁଣି ଥରେ ଓଡିଆଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ, ୦୪/୧୧: ଓଡିଶାର ମନୋରଞ୍ଜନ ମିଶ୍ରଙ୍କୁ ମିଳିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗୁରୁ ଦାୟିତ୍ଵ। ପୂର୍ବରୁ ନିୟନ୍ତ୍ରଣ ବିଭାଗରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିବା ଶ୍ରୀ ମିଶ୍ରଙ୍କୁ ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ଦିଆଯାଇଛି।

ରିଜର୍ଭ ବ୍ୟାଙ୍କରେ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ବ୍ୟାଙ୍କ ଏବଂ ଏନବିଏଫସିର ନିୟନ୍ତ୍ରଣ, ବ୍ୟାଙ୍କଗୁଡିକର ତଦାରଖ ଏବଂ ମୁଦ୍ରା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶ୍ରୀ ମିଶ୍ର ପ୍ରବର୍ତ୍ତନ ବିଭାଗ, ରିସ୍କ ମନିଟରିଂ ବିଭାଗ ଏବଂ ବୈଦେଶିକ ପୁଞ୍ଜିନିବେଶ ଓ ଅପରେସନ୍ ବିଭାଗର ଦାୟିତ୍ୱ ତୁଲାଇବେ।

ଶ୍ରୀ ମିଶ୍ର ଅର୍ଥନୀତି ଓ ଏମବିଏ (ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନ୍ସ)ରେ ସ୍ନାତକୋତ୍ତର କରିଛନ୍ତି। ସେ ବ୍ରିଟେନର ଆଷ୍ଟନ ବିଜନେସ ସ୍କୁଲରୁ ଫାଇନାନ୍ସ ଆଣ୍ଡ ଫାଇନାନ୍ସିଆଲ ରେଗୁଲେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।