ଡିସେମ୍ବର ୧ରୁ ବସ ଧର୍ମଘଟ

ଡିସେମ୍ବର ପହିଲାରୁ ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ହେବ ବୋଲି ସୂଚନା ମିଳିଛି।

ସରକାର ପ୍ରତିଶ୍ରୁତି ରକ୍ଷା ନକରିବାରୁ ରାସ୍ତାକୁ ଓହ୍ଲାଇବେ: ସଂଘ

ଭୁବନେଶ୍ବର, ୦୮/୧୧/୨୩: ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ। ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଅଖିଳ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ସଦସ୍ୟମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବସ ମାଲିକ ସଂଘ ଅଭିଯୋଗ କରିଛି ଯେ, କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ରାଜ୍ୟ ସରକାର ବ୍ଲକରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ନ କରିବା ଏବଂ ପଂଚାୟତରୁ ବ୍ଲକକୁ ବସ୍ ଚଳାଚଳ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାରୁ ଡିସେମ୍ବର ପହିଲାରୁ ବସ୍ ସଂଘ ରାସ୍ତାକୁ ଓହ୍ଲାଇବ।