ଧନତେରସ: ପ୍ରଥମ ଦିନରେ ବୋହି ନେଲେ ୧୬୦ କୋଟିର ସୁନା

ଧନତେରସର ପ୍ରଥମ ଦିନରେ ୧୬୦ କୋଟିର ସୁନା କିଣିଛନ୍ତି।

ଗହଣା ଦୋକାନରେ ଭଳିକି ଭଳି ରିହାତି

ଭୁବନେଶ୍ୱର, ୧୧/୧୧/୨୩: ଦୀପାବଳି ପୂର୍ବରୁ ସାରା ଦେଶରେ ପାଳନ ହେଉଥିବା ଧନତେରସ ଦିନ ସୁନା ଓ ରୂପା ଅଳଙ୍କାର ଓ ସାମଗ୍ରୀ ଘରକୁ ଆଣିଲେ ଶୁଭ ବିବେଚନା କରାଯାଏ। ଚଳିତ ବର୍ଷ ୧୦ ଓ ୧୧ ତାରିଖ ଦୁଇ ଦିନ ଧନତେରସ ପଡୁ ଥିବାରୁ ସୁନା କିଣିବା ପାଇଁ ଶୁଭ ଥିବା ଜଣାପଡିଛି। ଏ ନେଇ ରାଜ୍ୟର ଗହଣା ସୋ’ରୁମ ଗୁଡିକ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ଅଫର ସବୁ ଦେଉଛନ୍ତି।

ବଜାର ବର୍ତ୍ତମାନ ସରଗରମ ରହିଛି। ଗହଣା ସୋ’ରୁମରେ ଭଳିକି ଭଳି ଅଫର। ଗ୍ରାହକଙ୍କୁ ଆକର୍ଷଣୀୟ ରିହାତି ଯୋଗାଇବା ପାଇଁ ପ୍ରତି ସୋ’ରୁମ ଦେଉଛନ୍ତି ଭିନ୍ନ ଭିନ୍ନ ରିହାତି। କିଛି ଦିନ ପୂର୍ବରୁ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସୁନା ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ତାହା କମି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୫୬,୦୦୦ ଟଙ୍କା ପାଖାପାଖି ରହିଛି।

ୱିକେଣ୍ଡରେ ଧନତେରସ ପଡୁଥିବାରୁ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା ଓ ରୂପା ବିକ୍ରିରେ ଯଥେଷ୍ଟ ବୃଦ୍ଧି ଘଟିଛି। ପ୍ରାୟତଃ ସନ୍ଧ୍ୟା ସମୟରେ ଦୋକାନ ମାନଙ୍କରେ ବେଶୀ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଖବର ମୁତାବକ, ଧନତେରସର ପ୍ରଥମ ଦିନରେ ରାଜ୍ୟରେ ପ୍ରାୟ ୩ କୁଇଣ୍ଟାଲ ସୁନା ଅଳଙ୍କାର ଓ ମୁଦ୍ରା ବିକ୍ରି ହୋଇଥିବା ବେଳେ ମୂଲ୍ୟ ହିସାବରେ ସାରା ରାଜ୍ୟରେ ସୁନା ଓ ରୂପାର ମୋଟ କାରବାର ୧୬୦ କୋଟି ଟଙ୍କା ରହିଛି। ସମୁଦାୟ ବିକ୍ରିର ୫୦ ପ୍ରତିଶତ କେବଳ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କରାଯାଇଛି।

ଯୁବପିଢି ଓ ମହିଳାମାନେ କାନଫୁଲ, ନାକଫୁଲ, ମୁଦି, ପାଉଁଜି ଓ ବ୍ରେସଲେଟ କିଣି ନେବା ପାଇଁ ବେଶୀ ପସନ୍ଦ କରୁଛନ୍ତି। ଆଗକୁ ପ୍ରଦାନ ବିବାହ ଋତୁ ଥିବାରୁ ଲୋକ ଏବେଠୁ ଗହଣା କିଣିବା ପାଇଁ ପସନ୍ଦ କରୁଛନ୍ତି ବୋଲି ସୁନା ଓ ରୂପା ବ୍ୟବସାୟୀ କହିଛନ୍ତି।