ରାଇରଙ୍ଗପୁରରୁ ରାଇସିନା ହିଲ, କେମିତି ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲା ବେଳ….

ମୟୁରଭଞ୍ଜ: ମୟୂରଭଞ୍ଜ ବାମନ ଘାଟି ଉପଖଣ୍ଡ କୁସୁମୀ ବ୍ଲକ ଉପର ବଡୋ ଗାଁର ସାନ୍ତାଳୀ ଜନଜାତିର ମହିଳା ତଥା ଝାରଖଣ୍ଡର ପ୍ରଥମ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ସେ ଏନ୍ ଡି ଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ. ଏଭଳି ନିଷ୍ପତ୍ତିକୁ ଚାରିଆଡୁ ସ୍ଵାଗତ କରାଯାଇଥିଲା ।

୧୯୫୮ ମସିହା ଜୁନ ୨୦ ତାରିଖରେ ଜନ୍ମିତ ଦ୍ରୌପଦୀ ବାଲ୍ୟ କାଳରୁ ଅଭାବବୋଧ ସହିତ କରି ଆସିଛନ୍ତି ସଂଘର୍ଷ ।
ତାଙ୍କ ପିତା ବିରଞ୍ଚି ନାରାୟଣ ଟୁଡୁ ମୟୂରଭଞ୍ଜ ରାଜାଙ୍କର ଜଣେ କର୍ମଚାରି ଥିଲେ। ଗାଁ ସ୍କୁଲରୁ ମାଇନର ପାସ ପରେ ଅଧିକ ପଢିବା ପାଇଁ ଅର୍ଥ ଅଭାବ ସାଙ୍ଗକୁ ସ୍ଥାନୀୟ ଅଂଚଳରେ ନ ଥିଲା ସୁବିଧା । ଦ୍ରୌପଦୀ ଜଣେ ସମ୍ପର୍କୀୟଙ୍କ ସହାୟତାରେ ୧୯୭୦ରେ ଭୁବନେଶ୍ୱର ଆସି ୟୁନିଟ ୨ବାଳିକା ବିଦ୍ୟାଳୟରେ ନାଁ ଲେଖାଇଲେ ଓ ପରେ ରମାଦେବୀ ମହାବିଦ୍ୟାଳୟରେ ପାଠ ପଢିଲେ ।

୧୯୭୯ ମସିହାରେ ସଚିବାଳୟରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ନିଜ ବ୍ଲକର ପାହାଡ଼ ପୁର ଗାଁର ବ୍ୟାଙ୍କ ମ୍ୟାନେଜର ଥିବା ଶ୍ୟାମ ଚରଣ ମୂର୍ମୁଙ୍କୁ ବିବାହ ପରେ ସେ ଟୁଡୁରୁ ମୂର୍ମୁ ସାଙ୍ଗିଆ ଗ୍ରହଣ କଲେ। କୋଳକୁ ଆସିଲେ ଦୁଇ ପୁଅ ଓ ଗୋଟିଏ ଝିଅ। ଜଞ୍ଜାଳ ବଢିବାରୁ ଘର ସମ୍ଭାଳିବାକୁ ସରକାରୀ ଚାକିରୀ ଛାଡ଼ିଲେ । ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକତା ବୃତ୍ତିରେ ରହି ସମାଜ ସେବାରେ ବ୍ରତୀ ରହିଲେ ।

ଦ୍ରୌପଦୀ ସକ୍ରିୟ ରାଜନୀତିକୁ ଆସି ସ୍ଵାଧୀନ ଭାବେ କାଉନ୍ ସିଲର ଭାବେ ଲଢ଼ିଲେ ଓ ବିଜୟୀ ହୋଇ ଉପାଧ୍ୟକ୍ଷ ଦାୟିତ୍ଵ ସମ୍ଭାଳିଥିଲେ। ୨୦୦୦ମସିହାରେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ବିଜେଡି _ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ପଶୁ ପାଳନ ବିଭାଗ ର ମନ୍ତ୍ରୀ ହେଲେ । ୨୦୦୪ରେ ଦ୍ଵିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ଓ ୨୦୦୭ରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନୀତ ହେଇଥିଲେ ।୨୦୧୫ ମସିହାରେ ତାଙ୍କୁ ଝାରଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

ଦ୍ରୌପଦୀଙ୍କ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁ କିଛି ବର୍ଷ ତଳେ ପରଲୋକ ଗମନ କରିଛନ୍ତି। ଏହା ସହିତ ତାଙ୍କର ଦୁଇ ପୁଅ ମଧ୍ୟ ଅକାଳରେ ସେ ପୁରକୁ ଲେଉଟି ଯାଇଛନ୍ତି। ଏଭଳି ଦୁଃଖକୁ ସହି ସେ ନିରବଚ୍ଛିନ୍ନ ଭାବେ ସମାଜ ସେବା ସହିତ ଅଛନ୍ତି। ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦ୍ରୌପଦୀଙ୍କ ଜୀବନ ଗରିବଙ୍କ ପାଇଁ ଉତ୍ସର୍ଗୀକୃତ।

ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏହାସହ ଦେଶର ସେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଛନ୍ତି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡ ମତଗଣନାରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି ।