ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପାନ, ଗୁଟୁଖା ଖାଇବା ମନା

ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପାନ, ଗୁଟୁଖାଠାରୁ ଦୂରେଇ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ବର,୧୪/୧୧/୨୩: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀମନ୍ଦିର ପରିଚାଳନାରେ ଥିବା ମନ୍ଦିର ପରିସର, ଏହାର କାର୍ଯ୍ୟାଳୟ ଓ ବିଭିନ୍ନ ଭକ୍ତ ନିବାସ ଭିତରେ ପାନ, ଗୁଟଖା ଇତ୍ୟାଦି ସେବନରୁ ଦୂରେଇ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀ, ମନ୍ଦିର ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ଭକ୍ତଙ୍କ ପବିତ୍ର ସ୍ଥାନ ହୋଇଥିବାରୁ ଏହାର ପବିତ୍ରତା ବଜାୟ ରଖିବା ଶ୍ରୀମନ୍ଦିରର କର୍ମଚାରୀ, ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦାୟିତ୍ୱ। ଏହି ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଏବଂ ଏହାର ପବିତ୍ରତା ବଜାୟ ରଖିବା ସେମାନଙ୍କର ମୌଳିକ ଓ ନୈତିକ ଦାୟିତ୍ୱ। ଆଜିଠାରୁ ମନ୍ଦିର ପରିସର, କାର୍ଯ୍ୟାଳୟ ଭିତରେ ଓ ଭକ୍ତ ନିବାସ ଭିତରେ କେହି ପାନ କିମ୍ବା ଗୁଟଖା ଖାଇବେ ନାହିଁ। ଏହାସହ ମନ୍ଦିର ଭିତରକୁ ପଲିଥିନ୍ କ୍ୟାରି ବ୍ୟାଗରେ ବାହାରୁ ଫୁଲ, ଭୋଗ କିମ୍ବା ଖାଦ୍ୟ ନ ଆଣି ମନ୍ଦିର ଭିତରୁ କିଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି।