ବିଧାନସଭା ତୃତୀୟ ଦିନ ଅଧିବେଶନରେ ବିରୋଧୀଙ୍କ ନାରାବାଜି

ବିଧାନସଭାରେ ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବିରୋଧୀ ଦଳ ହଟ୍ଟଗୋଳ କରିବାରୁ ଗୃହ ମୁଲତବୀ ରଖାଯାଇଛି।

ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ବର,୨୩/୧୧/୨୩: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ତୃତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲି ପାରିନାହିଁ। ପ୍ରଶ୍ନକାଳ ସମୟ ଆରମ୍ଭରୁ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଯାହା ଫଳରେ ତୃତୀୟ ଦିନ ମଧ୍ୟ ବିନା ଆଲୋଚନାରେ ଶେଷ ହୋଇଥିବା ଜଣାପଡିଛି।

ମିଳିଥିବା ଖବର ମୁତାବକ, ଏସଟି ଜମି ହସ୍ତାନ୍ତର ବିଲକୁ ନେଇ ବିରୋଧୀ ବିଧାୟକଙ୍କ ହଙ୍ଗାମା ପରେ ଗୃହକୁ ମୁଲତବୀ ରଖାଯାଇଥିଲା। କାହିଁକି ଏହି ବିଲ୍ କୁ ସ୍ଥଗିତ ରଖାଗଲା ଓ କାହିଁକି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଗଲା ନାହିଁ ବୋଲି ବିରୋଧୀ ଦଳ ଏହି ପ୍ରସଙ୍ଗରେ ହଙ୍ଗାମା କରିଥିଲେ। ବିରୋଧୀ ମାନେ ନାରାବାଜି କରିବାରୁ ଅଧିବେଶନରେ ବାଧା ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଗତ କାଲି ମଧ୍ୟ ଆଦିବାସୀ ଜମି ପ୍ରସଙ୍ଗରେ ବିରୋଧୀ ଦଳ ନାରାବାଜି କରିବା ଦ୍ୱାରା ଗୃହ ମୁଲତବୀ ରଖିଥିଲେ ବାଚସ୍ପତି।

ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଆଦିବାସୀଙ୍କ ଜମିକୁ ହଡପ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେ ବାବଦରେ ବିଧାନସଭାରେ ପ୍ରଶ୍ନ ଆକାରରେ ଆଲୋଚନା କରିବା ପାଇଁ ଆମେ ଦାବି ରଖିଛୁ। କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଏହି ବିଲକୁ ପ୍ରତ୍ୟାହାର କରିବାକୁ ଆମେ ଓଡ଼ିଶା ସରକାରଙ୍କୁ ଦାବି କରୁଛୁ।