୬,୭୯୯ ଗାଁକୁ ପହଞ୍ଚି ପାରିନି ମୋବାଇଲ ସେବା

ଓଡ଼ିଶାରେ ଏପର୍ଯ୍ୟନ୍ତ ୬,୭୯୯ଟି ଗାଁକୁ ମୋବାଇଲ ଓ ଇଣ୍ଟରନେଟ୍ ସେବା ପହଞ୍ଚି ପାରିନି ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।

ଆସନ୍ତା ବର୍ଷ ସୁଦ୍ଧା ସେବା ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ବର, ୨୩/୧୧/୨୩: ବିଧାନସଭାର ଶୀତକାଳୀନ ଅଧିବେଶନରେ ପ୍ରଶ୍ନକାଳ ସମୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା।

ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ୬,୭୯୯ଟି ଗାଁକୁ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଦିଆ ଯାଇପାରି ନାହିଁ। ତିନୋଟି ମୋବାଇଲ ସେବା ଯୋଗାଇ ଦେବା ପାଇଁ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ସରକାରୀ ଜମି ମାଗଣାରେ ଯୋଗାଇ ଦିଆଯାଇଛି। ରାଜ୍ୟ ସରକାର ଓଡ଼ିଶା ମୋବାଇଲ ଟାୱାର, ଓଏଫସି (ଅପ୍ଟିକାଲ ଫାଇବର କେବୁଲ) ଏବଂ ସଂପୃକ୍ତ ଟେଲିକମ୍ ଭିତ୍ତିଭୂମି ନୀତି, ୨୦୧୭ କାର୍ଯ୍ୟକାରୀ କରିଛନ୍ତି। ଯାହାଦ୍ୱାରା ୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।