୫ ବର୍ଷରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୫ ହଜାର ପାର

୫ ବର୍ଷ ଭିତରେ ଓଡ଼ିଶାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୫,୯୭୪ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି।

ଘଟିଛି ୫୪ ହଜାରରୁ ଊର୍ଦ୍ଧ୍ବ ଦୁର୍ଘଟଣା

ଭୁବନେଶ୍ବର, ୨୩/୧୧/୨୩: ଆଜି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମଧ୍ୟ ପ୍ରଶ୍ନକାଳ ସମୟରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ମନ୍ତ୍ରୀ। ବିଜେପି ବିଧାୟକ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ଶ୍ରୀ ବିଧାୟକ ପଚାରିଥିବା ସଡ଼କ ଦୁର୍ଘଟଣା ଓ ସଚେତନତା କାର୍ଯ୍ୟକ୍ରମରେ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ସାହୁ ସୂଚନା ଦେଇ କହିଛନ୍ତି, ୨୦୧୮ରୁ ୨୦୨୨ ମଧ୍ୟରେ ଗତ ୫ ବର୍ଷ ଭିତରେ ଓଡ଼ିଶାରେ ସମୁଦାୟ ୫୪,୭୯୦ଟି ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨୫,୯୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧,୮୭୩ ଜଣ ଆହତ ହୋଇଛନ୍ତି। ଏହା ମଧ୍ୟରୁ ସଡ଼କ ଦୁର୍ଘଟଣାରେ ୨୫,୯୩୪ ଜଣଙ୍କ ମୃତ୍ୟୁ ଘଟିଛି।୨୦୨୧ରେ ସଡ଼କ ଦୁର୍ଘଟଣା ସଂଖ୍ୟା ୧୦,୯୮୪ ଥିବାବେଳେ ୨୦୨୨ରେ ଏହା ୧୧,୬୬୩କୁ ବୃଦ୍ଧି ପାଇଛି।

ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏଥିପାଇଁ ୭୯୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୨୨-୨୩ରେ ଜନସଚେତନତା କାର୍ଯ୍ୟକ୍ରମରେ ୨୩୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।