ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ଭାବେ ଦାୟିତ୍ଵ ନେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ଭାବେ ଦାୟିତ୍ଵ ନେଲେ ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନ।

ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର, ୨୩/୧୧/୨୩: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାର୍ଯ୍ୟ କରିବା ଏକ ଗୌରବର କଥା ଓ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇ ଥିବାରୁ ଏହାକୁ ସେ ଆନ୍ତରିକ ଭାବେ ସମ୍ପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଲୋକସେବା ଭବନଠାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ ରାଉତରାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଯୁଗ୍ମ ସଚିବ ଅତସୀ ଦାସ, ଯୁଗ୍ମ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ସଙ୍ଗୀତ ନାଟକ ଏକାଡ଼େମୀ ସଭାପତି ଅରୁଣା ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଡ଼ ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଶ୍ରୀମତୀ କାର୍ତ୍ତିକେୟନ ବିଭାଗର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ଅଧିକାରୀମାନଙ୍କଠାରୁ ସହଯୋଗ କାମନା କରିଥିଲେ।

ଏହା ପରେ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ବିଭୂତି କାନୁନଗୋ ଚାରୁ ଓ ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୭ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଶ୍ରୀମତୀ କାର୍ତ୍ତିକେୟନ ଖୁସି ବ୍ୟକ୍ତ କରିଥିଲେ। ଏଭଳି ଚିତ୍ରକଳା ଆୟୋଜନ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କର ସେ ପ୍ରଶଂସା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗଜେନ୍ଦ୍ର କୁମାର ପାଢୀ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼ ଭାଗ୍ୟଲିପି ମଲ୍ଲଙ୍କ ସମେତ ସଂଗ୍ରହାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।