ଭିଜିଲାନ୍ସ ସ୍କାନରରେ ଅବକାରୀ ଉପଅଧୀକ୍ଷକ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ଉପଅଧୀକ୍ଷକଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।

୬ ସ୍ଥାନରେ ଚଢ଼ାଉ ଜାରି

ନବରଙ୍ଗପୁର,୨୪/୧୧/୨୩: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଅବକାରୀ ଉପଅଧୀକ୍ଷକ ଗଙ୍ଗା ପାଇକରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଗଙ୍ଗା ପାଇକରାୟଙ୍କ ସଂପୃକ୍ତି ଥିବା ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ।

ଜୟପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୩ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ କୋରାପୁଟ ଓ ନବରଙ୍ଗପୁରର ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ଜୟପୁର ଅଗ୍ନିଶମ କେନ୍ଦ୍ର ନିକଟରେ ଥିବା ଗଙ୍ଗା ପାଇକରାୟଙ୍କ ଏକ ତିନି ମହଲା ଆବାସିକ କୋଠା, ଜୟପୁରର ନ୍ୟୁ ଷ୍ଟ୍ରିଟ୍ ପ୍ରଥମ ଲେନରେ ଥିବା ଏକ ତିନି ମହଲା ଆବାସିକ କୋଠା, ଜୟପୁର ର ଗ୍ଲୋକାଲ ହସ୍ପିଟାଲ ସମ୍ମୁଖରେ ପ୍ରକାଶ ବିଦ୍ୟାଳୟ ନିକଟରେ ଥିବା କୋଠା ନିର୍ମାଣ ପାଇଁ ଏକ ଜମି, ଜୟପୁର ର ହାନାଗୁଡାଠାରେ ଥିବା ଆଜବେଷ୍ଟସ୍ ପାର୍କିଂ ସେଡ,ନବରଙ୍ଗପୁରରେ ଅବସ୍ଥିତ କାର୍ଯ୍ୟାଳୟ କକ୍ଷ, ନବରଙ୍ଗପୁରର ସଦାଶିବା ମାର୍ଗ, ଚାନୁରିଆ ଗୁଡାଠାରେ ଥିବା ଘରେ ଚଢ଼ାଉ ଜାରି ରହିଛି।