ଓଡ଼ିଶାରେ ଚିହ୍ନଟ ରୟାଲ ବେଙ୍ଗଲ ଟାଇଗର

ଏକ ରୟାଲ ବେଙ୍ଗଲ ଟାଇଗର ୭୫୦ କିଲୋମିଟର ଯାତ୍ରା କରି ଓଡ଼ିଶାରେ ପହଞ୍ଚିଛି।

୭୫୦ କି.ମି. ଅତିକ୍ରମ କରି ପହଞ୍ଚିଛି ଓଡିଶାରେ

ଭୁବନେଶ୍ବର,୨୫/୧୧/୨୩: ନିକଟରେ ଗଜପତି ଜିଲ୍ଲାର ଏକ ଜଙ୍ଗଲରେ କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ସାମନାକୁ ଆସିଛି। ଯେଉଁଥିରେ ଦେଖା ଦେଇଛି, ଏକ ରୟାଲ ବେଙ୍ଗଲ ଟାଇଗର ୪ଟି ରାଜ୍ୟ ଅତିକ୍ରମ କରି ମହାରାଷ୍ଟ୍ରରୁ ପ୍ରାୟ ୭୫୦ କିଲୋମିଟର ଯାତ୍ରା କରି ଓଡ଼ିଶାରେ ପହଞ୍ଚିଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ କହିଛନ୍ତି ଯେ ବାଘଟି ପୂର୍ବରୁ ୨୦୨୧ରେ ମହାରାଷ୍ଟ୍ର ଜଙ୍ଗଲରେ ଥିବା କ୍ୟାମେରାରେ କଏଦ ହୋଇଥିଲା। ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ୪ଟି ରାଜ୍ୟକୁ ଅତିକ୍ରମ କରି ଏବେ ଓଡ଼ିଶାରେ ଆସି ପହଞ୍ଚି ଥିବା କ୍ୟାମେରାରେ କଏଦ ହୋଇଛି।

ଶ୍ରୀ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କ୍ୟାମେରାରେ କଏଦ ଭିଡିଓକୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ)କୁ ପଠାଇଥିଲୁ। ମହାରାଷ୍ଟ୍ରର ବ୍ରହ୍ମପୁରୀ ବନଖଣ୍ଡ ଅଧୀନ ଚନ୍ଦ୍ରପୁରରୁ ଏହି ବାଘଟି ସେଠାକାର ଅନ୍ୟ ଏକ ବାଘର ଫଟୋ ସହ ମେଳ ଖାଇଥିବା ଡବ୍ଲୁଆଇଆଇ ନିଶ୍ଚିତ କରିଛି। ମହାରାଷ୍ଟ୍ରରେ ୨୦୨୧ରେ ପ୍ରଥମେ ଏହି ବାଘକୁ କ୍ୟାମେରାରେ କଏଦ କରାଯାଇଥିଲା ବୋଲି ନନ୍ଦ କହିଛନ୍ତି।

ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ଗତ ସେପ୍ଟେମ୍ବର ମାସରୁ ଏହି ବାଘ ଦେଖିବାକୁ ମିଳିଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ମାନେ ଏହି ବାଘକୁ ଦେଖିବା ପରେ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।