ସମ୍ଭାବ୍ୟ ଲଘୁଚାପ: ୭ ଜିଲ୍ଲା ପାଇଁ ସତର୍କବାଣୀ

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପାଇଁ ୭ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି।

ଜିଲ୍ଲାପାଳଙ୍କୁ ଏସଆରସି ଲେଖିଲେ ଚିଠି

ଭୁବନେଶ୍ବର,୨୯/୧୧/୨୩: ବଙ୍ଗୋପସାଗରରେ ଏକ ଚିହ୍ନିତ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୩୦ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଯାହାଫଳରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପାଇଁ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଗୁଆ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ ବୋଲି ଏସଆରସି କହିଛନ୍ତି।

ଡିସେମ୍ବର ୧ ତାରିଖରୁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ଅଞ୍ଚଳକୁ ନ ଯିବାକୁ ଏସଆରସି ପରାମର୍ଶ ଦେବା ସହ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ପହଞ୍ଚାଇବାକୁ ଓଡ଼ିଶା ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ, ଆଶାନୁରୂପ ବୃଷ୍ଟିପାତ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଧାନ ଓ ଅନ୍ୟ ଫସଲର ସୁରକ୍ଷା ପାଇଁ ଉପଯୁକ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀଙ୍କୁ ଅବଗତ କରାଇବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।