ସୁନ୍ଦରଗଡ଼ ରାଜସ୍ବ ନିରୀକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ

ସୁନ୍ଦରଗଡ଼ ଜିଲ୍ଲା ରାଜସ୍ବ ନିରୀକ୍ଷକଙ୍କୁ ଲାଞ୍ଚ ମାମଲାରେ ଭିଜିଲାନ୍ସ ଗିରଫ କରିଛି।

ଲାଞ୍ଚ ମାମଲାରେ ଗିରଫ

ସୁନ୍ଦରଗଡ଼, ୨୯/୧୧/୨୩: ସୁନ୍ଦରଗଡ଼ ଜିଲ୍ଲା ତସଲଡିହି, ଟାଙ୍ଗରପାଲି ତହସିଲର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅଭିଯୁକ୍ତ ଆରଆଇ ଲିଲି ଚୌଧୁରୀ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅଧୀନରେ ଥିବା ବେଳେ ଚାଷ ଜମିକୁ ଘର ଜମିରେ ପରିଣତ କରିବା ପାଇଁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଓ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବୁଧବାର ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏ ସଂକ୍ରାନ୍ତରେ ରାଉରକେଲା ଭିଜିଲାନ୍ସ ଥାନାରେ ଧାରା ୭ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କ ସହ ଜଡ଼ିତ ଥିବା ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରଖିଛନ୍ତି।